ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳିବେନି ନିୟମିତ ଅଧିନାୟକ ରୋହିତ ଶର୍ମା । ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଆସନ୍ତାକାଲି ପର୍ଥରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ଏହା ପୂର୍ବରୁ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ବୁମରା ।
ସାମ୍ବାଦିକ ସମ୍ମିଳନୀରେ ବୁମରା ନିଜକୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କଠୁ ଅଲଗା ଦର୍ଶାଇଛନ୍ତି । ବୁମରା ନିଜର ଅଧିନାୟକତ୍ୱ ତରିକାକୁ ରୋହିତ ଓ କୋହଲିଙ୍କଠୁ ଭିନ୍ନ ବୋଲି କହିଛନ୍ତି । ବୁମରା କହିଛନ୍ତି ଅଧିନାୟକତ୍ୱ ପାଇଁ ତାଙ୍କ ପାଖରେ ନିଜର ଶୈଳୀ ରହିଛି ।
ବୁମରା କହିଛନ୍ତି, ଏହା ସୌଭାଗ୍ୟର ବିଷୟ । ମୋର ନିଜସ୍ୱ ତରିକା ରହିଛି । ବିରାଟ କୋହଲି ଭିନ୍ନ ଥିଲେ, ରୋହିତ ବି ଭିନ୍ନ ଥିଲେ । ମାତ୍ର ମୋର ଅଧିନାୟକତ୍ୱ ନେଇ ନିଜସ୍ୱ ଶୈଳୀ ରହିଛି । ମୋତେ ଦାୟିତ୍ୱ ନେବାକୁ ପସନ୍ଦ । ମୁଁ ରୋହିତଙ୍କ ସହ ପୂର୍ବରୁ ମଧ୍ୟ ଆଲୋଚନା କରି ସାରିଛି । ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଦଳର ନେତୃତ୍ୱ ନେବା ବିଷୟରେ ସ୍ପଷ୍ଟତା ମିଳିଥିଲା ।
ଏହା ବ୍ୟତୀତ ବୁମରା କହିଛନ୍ତି, ଦ୍ରୁତ ବୋଲରମାନେ ଅଧିକ ଭଲ ଅଧିନାୟକ ହୋଇଥାନ୍ତି । ସେ ପାଟ୍ କମିନ୍ସଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ସେ ଅଧିନାୟକ ଭାବେ ବେଶ ସଫଳ ହୋଇଛନ୍ତି । ତେଣୁ ମୁଁ ସର୍ବଦା ଦ୍ରୁତ ବୋଲରଙ୍କୁ ଅଧିନାୟକ କରାଯିବା ନେଇ କହି ଆସିଛି । କାରଣ ସେମାନେ ଅଧିକ ଚତୁର ହୋଇଥାନ୍ତି । କପିଲ ଦେବ ମଧ୍ୟ ଦ୍ରୁତ ବୋଲର ଭାବେ ଭାରତୀୟ କ୍ରିକେଟ୍ ଦଳର ସଫଳ ଅଧିନାୟକ ଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଯଶପ୍ରୀତ ବୁମରା ୨୦୨୨ରେ ଦଳର ନେତୃତ୍ୱ ନେଇଥିଲେ । ଭାରତ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏକ ରିସିଡ୍ୟୁଲ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଏଥିରେ ବୁମରା ଭାରତର ନେତୃତ୍ୱ ନେଇଥିଲେ । ଉକ୍ତ ମ୍ୟାଚରେ ଭାରତ ୭ ୱିକେଟରେ ପରାଜିତ ହୋଇଥିଲା । ଏବେ ଦେଖିବା ବାକି ରହିଲା ପର୍ଥ ଟେଷ୍ଟରେ ବୁମରା ଦଳର ନେତୃତ୍ୱ କେମିତି ନେଉଛନ୍ତି ।