ନୂଆଦିଲ୍ଲୀ: କାନାଡ଼ା-ଭାରତ ସଂଘର୍ଷ ଜାରି ରହିଛି। କିନ୍ତୁ ଭାରତର କଡ଼ା ସମାଲୋଚନା ପରେ ଏବେ କାନାଡା ସରକାରଙ୍କ ସ୍ୱର ବଦଳିଯାଇଛି। ଆଜି କାନାଡା ସରକାର ଏକ ବିବୃତି ଜାରି କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ଭାରତୀୟ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି।
ବିବୃତିରେ କୁହାଯାଇଛି ଯେ ଅକ୍ଟୋବର ୧୪ରେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ନିରନ୍ତର ବିପଦକୁ ଦୃଷ୍ଟିରେ ରଖି ଆରସିଏମପି ଏବଂ କର୍ତ୍ତୃପକ୍ଷ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କ ଦ୍ୱାରା କାନାଡାରେ ଗମ୍ଭୀର ଅପରାଧିକ କାର୍ଯ୍ୟକଳାପର ସାର୍ବଜନୀନ ଅଭିଯୋଗ ଆଣିବା ପାଇଁ ଅସାଧାରଣ ପଦକ୍ଷେପ ନେଇଥିଲେ।
ତେବେ କାନାଡାରେ ଗମ୍ଭୀର ଅପରାଧିକ କାର୍ଯ୍ୟକଳାପରେ ପ୍ରଧାନମନ୍ତ୍ରୀ ମୋଦୀ, ମନ୍ତ୍ରୀ ଜୟଶଙ୍କର ଓ ଏନଏସଏ ଡୋଭାଲଙ୍କ ସଂପୃକ୍ତି ଥିବା ନେଇ କାନାଡା ସରକାରଙ୍କ ପାଖରେ କୌଣସି ପ୍ରମାଣ ନାହିଁ କି ସେ ବିଷୟରେ ଅବଗତ ନୁହଁନ୍ତି। ଏହା କେବଳ କଳ୍ପନାଜଳ୍ପନା ବୋଲି ସରକାର କହିଛନ୍ତି।
ସୂଚନାଯୋଗ୍ୟ, କାନାଡାର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଭାରତ ସରକାର ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ବିଷୟରେ ଅବଗତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ତେବେ ଏହି ଦାବିକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାନାଡା ପାଖରେ କୌଣସି ଦୃଢ଼ ପ୍ରମାଣ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏହାର ଜବାବ ରଖିଥିଲା ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଏଭଳି ଗଣମାଧ୍ୟମ ରିପୋର୍ଟକୁ ହାସ୍ୟାସ୍ପଦ ବୋଲି ବର୍ଣ୍ଣନା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ସାଧାରଣତଃ ଗଣମାଧ୍ୟମ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନଥାଉ। ତେବେ କାନାଡ଼ା ସରକାରଙ୍କ ଏକ ସୂତ୍ରରୁ ଖବରକାଗଜକୁ ଦିଆଯାଇଥିବା ଏଭଳି ହାସ୍ୟାସ୍ପଦ ବୟାନକୁ ସମାନ ଅବମାନନା ସହ ପ୍ରତ୍ୟାଖ୍ୟାନ କରାଯିବା ଉଚିତ। ଏଭଳି ଅପମାନଜନକ ଅଭିଯାନ ଆମର ପୂର୍ବରୁ ତିକ୍ତ ଥିବା ସମ୍ପର୍କକୁ ଆହୁରି କ୍ଷତି ପହଞ୍ଚାଇଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଉତ୍ତେଜନା