ବଲାଙ୍ଗୀର: ନବଜାତ ଶିଶୁ କନ୍ୟାକୁ ବିକ୍ରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବଡିଭିଜନ ଅନ୍ତର୍ଗତ ଲାଠୋର ଥାନା ସାନଗୁର୍ଜିଭଟା ଗ୍ରାମରେ ଶିଶୁ ବିକ୍ରି ଘଟଣାରେ ସୁନାମୁଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ୍ ମମତା ଭୋଇଙ୍କୁ ନିଲମ୍ବିତ କରାଯାଇଛି ।
ସାନଗୁର୍ଜିଭଟା ଗ୍ରାମରେ ଶିଶୁ ବିକ୍ରି ଘଟଣାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ ଗାଁରେ ପହଁଚି ମାମଲାର ଅନୁଧ୍ୟାନ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଏନଏମ ମମତା ଭୋଇ ଶିଶୁ କନ୍ୟାକୁ ଜଣେ ଅଣଓଡ଼ିଆ ଦମ୍ପତିଙ୍କୁ ଦେଇ ଦେଇଥିବା ଜଣାପଡ଼ିଥିଲା । ଏହା ପରେ ସିଡିଏମଓ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ସୁନାମୁଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ୍ ମମତା ଭୋଇଙ୍କୁ ନିଲମ୍ବନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ନଭେମ୍ବର ୨ ତାରିଖରେ ସୁନାମୁଦି ଉପ ସ୍ଵାସ୍ଥ୍ୟକେନ୍ଦ୍ରରେ କରୁଆଁଝର ପଞ୍ଚାୟତର ସାନଗୁର୍ଜିଭଟା ଗାଁର ଅରୁଣାବତୀ ନାଗ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାକୁ ନେଇ ସେ ଡାକ୍ତରଖାନାରୁ ଘରକୁ ଆସିଥିଲେ । ଏହା ପରେ ଗାଁର ଆଶା କର୍ମୀ ମା ଓ ଶିଶୁର ଅବସ୍ଥା ନିରୀକ୍ଷଣ ପାଇଁ ଅରୁଣାଙ୍କ ଘରକୁ ଯାଇଥିବାବେଳେ ଶିଶୁ କନ୍ୟାକୁ ପାଇ ନ ଥିଲେ । ଶିଶୁ ବିଷୟରେ ସନ୍ତୋଷ ଜନକ ଉତ୍ତର ତାଙ୍କ ପରିବାର ନିକଟରୁ ପାଇନଥିଲେ ଆଶାକର୍ମୀ । ତେବେ ଶିଶୁ କନ୍ୟାକୁ ଅନ୍ୟ କାହା ହାତରେ ବିକ୍ରି କରିଦେଇଥିବା ସନ୍ଦେହ କରି ଶିଶୁ ସୁରକ୍ଷା ଅଧିକାରୀ ଏବଂ ପୁଲିସକୁ ସୂଚନା ଦେଇଥିଲେ ।
ଲାଠୋର ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ କରିଥିଲେ । ତେବେ ଶିଶୁ କନ୍ୟାକୁ ପାଳିବାକୁ ଅସମର୍ଥ ଥିବାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତକୁ ଟେକିଦେଇଥିବା ନିଜେ ସ୍ୱୀକାର କରିଥିଲେ ଅରୁଣାବତୀ । ତେବେ ନବଜାତକୁ କାହା ହାତରେ ଦେଇଛି ତାହା ସେ ନ କହିଥିବାରୁ ଶିଶୁ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି ।