ଫୁଲବାଣୀ: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆ ଥାନା ଅଂଚଳର ସୁକାନ୍ତ କହଁର ଏବଂ ସରୋଜ କହଁର ଓରଫ୍ ପିଣ୍ଟୁ ।
ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୨ ଜଣ ସାକ୍ଷ୍ୟ ପ୍ରମାଣ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି । ସୁକାନ୍ତ କହଁର ଏବଂ ସରୋଜ କହଁରକୁ ଆଜୀବନ କାରାଦଣ୍ଡ ସହିତ ୩୦ ହଜାର ଟଙ୍କା ଜୋରିମାନା ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ ଆଉ ଅଧିକ ଦଶ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅନ୍ୟପକ୍ଷରେ ପୀଡିତାକୁ କ୍ଷତିପୂରଣ ବାବାଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମହେଶ୍ୱର କହଁରକୁ କୋର୍ଟ ମୁକ୍ତ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସିଦ୍ଧାନ୍ତ କହଁର ଫେରାର ରହିଛି । ସରକାରଙ୍କ ତରଫରୁ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ ୨୮ ଅପ୍ରେଲ, ୨୦୨୧ରେ ୧୨ ବର୍ଷର ପୀଡ଼ିତା ନାବାଳିକା ଜଣକ ବିବାହ ଦେଖିବାକୁ ଯାଇଥିଲେ । ଫେରିବା ବାଟରେ ନାବାଳିକାଙ୍କୁ ଦୁଇଟି ବାଇକରେ ଆସି ଅପହରଣ କରି ନେବା ସହିତ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ଚେତା ଶୂନ୍ୟ ହେବା ପରେ ବାଟରେ ଫିଙ୍ଗି ପଳେଇଥିଲେ । ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ଝିଅକୁ ପାଇଥିଲେ ଏବଂ ଥାନାରେ ଏତଲା ଦାଏର କରିଥିଲେ ।