ଗଞ୍ଜାମ: ଡିଜିଟାଲ ମିଟର ବସାଇବାକୁ ଯାଇଥିବାବେଳେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପୁଲିସ ଓ ଟାଟା ପାୱାରର କର୍ମଚାରୀମାନେ ଫେରି ଆସିଛନ୍ତି । ଏଭିଳି ଏକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ମଣ୍ଟାପୋଡା ଗାଁରୁ ।
ମଣ୍ଟାପୋଡା ଗାଁରେ ଡିଜିଟାଲ ମିଟର ବସାଇବାକୁ ଟାଟା ପାୱାରର କର୍ମଚାରୀମାନେ ପୁଲିସ ଫୋର୍ସ ଧରି ପହଞ୍ଚିଥିଲେ । ମାତ୍ର ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ । ପ୍ରଥମେ ଗାଁରେ ଥିବା ଅନ୍ୟ ସମସ୍ୟାର ସମାଧାନ ପରେ ମିଟର୍ ବସାଇବାକୁ ଅନୁମତି ମିଳିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରକୁ ସଜାଡ଼ିବା, ଭାଙ୍ଗି ପଡ଼ିଥିବା ବିଦ୍ୟୁତ ଖୁଣ୍ଟକୁ ହଟାଇବା ଓ ଅହେତୁକ ବିଜୁଳି ଦର ନ ଆଦାୟ କରିବାକୁ ଗ୍ରାମବାସୀ ଦାବି କରିଥିଲେ । ସମସ୍ତ ସମସ୍ୟାର ସମାଧାନ ହେଲେ ଯାଇ ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବା ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ ।
ଏନେଇ ବିଦ୍ୟୁତ ବିଭାଗ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଲା । ମାତ୍ର କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା । ଫଳରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଗାଁରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା ।