ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏନେଇ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି । ଗୃହକୁ ସୁରୁଖୁରୁରେ ଚଳାଇବାକୁ ସମସ୍ତ ଦଳର ସହଯୋଗ ବାଚସ୍ପତି ଲୋଡ଼ିଛନ୍ତି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ କିଛି ମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିବା ବେଳେ ବିରୋଧୀ ଦଳ ‘ବିଜେଡି’ରୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପ-ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ବୈଠକରେ ଅଂଶଗ୍ରହଣ କରିଥିଲେ । କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । କିଛି ସମୟ ଆଲୋଚନାରେ ସରକାରଙ୍କ ବିରୋଧୀଙ୍କଠାରୁ ଗୃହକାର୍ଯ୍ୟରେ ସହଯୋଗ ଲୋଡିବା ସହ ଫଳପ୍ରଦ ଆଲୋଚନାର ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ଆସନ୍ତାକାଲି ଅଧିବେଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ଆଜି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ ମଧ୍ୟ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। କାଲିଠୁ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ।