ଭୁବନେଶ୍ୱର: ରାଜ୍ୟରୁ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି । ସେଥିପାଇଁ ଗଞ୍ଜେଇ ଚାଷକୁ ମୂଳୋତ୍ପାଟନ କରିବାକୁ ସରକାର ସଂକଳ୍ପ ନେଇଛନ୍ତି । ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।
ଡିଜିପି ଖୁରାନିଆ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଗତ ୨୪ ଦିନ ମଧ୍ୟରେ ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଜରିଆରେ ୨, ୩୭୫ ଏକର ଜମିରେ ୨୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ରାୟଗଡ଼ା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ ଓ ଗଜପତିରେ ଚାଷ ନେଇ ମୋଟ ୫୫ଟି ମାମଲା ରୁଜୁ ହୋଇଛି । ରାୟଗଡ଼ା (୬୯), ମାଲକାନଗିରି (୧୬୧), କୋରାପୁଟ (୧୫୩), ବୌଦ୍ଧ (୯୫୯), କନ୍ଧମାଳ (୯୨୦) ଓ ଗଜପତି (୧୧୩) ଏକର ଗଞ୍ଜେଇ ଚାଷ ଜମି ନଷ୍ଟ କରାଯାଇଛି ।
ସେହିପରି ୫୪ଟି ଗଂଜେଇ ଚାଲାଣ ନେଇ ମାମଲା ରୁଜୁ ହୋଇଥିବାବେଳେ ଏଯାବତ ୫,୩୦୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ପରିବହନ ସମୟରେ ଟ୍ରକ୍, ପିକ୍ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ ୨୦ ଟି ଯାନ ଏବଂ ୧୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ୧୦୨ ଜଣଙ୍କୁ ଗିରଫ କରାଯାଇଛି ।
ରାଜ୍ୟରେ ୯ଟି ଜିଲ୍ଲାରେ ସର୍ବାଧିକ ଗଂଜେଇ ଚାଷ ହେଉଛି । ଡ୍ରୋନ୍ ଓ ସାଟେଲାଇଟ୍ ମାଧ୍ୟମରେ ଗଞ୍ଜେଇ ଚାଷ ନେଇ ତଥ୍ୟ ମିଳିବା ପରେ ଫସଲକୁ ନଷ୍ଟ କରାଯାଉଛି । ବିଶେଷ କରି ଜଙ୍ଗଲ ଜମି ଓ ପାହାଡ଼ିଆ ଅଞ୍ଚଳରେ ଚାଷ କରାଯାଉଛି । ରାଜ୍ୟରେ ଆଗରୁ ଏତେ ଗଞ୍ଜେଇ ଚାଷ ହେଉ ନ ଥିଲା । ମାଓବାଦୀଙ୍କ ପ୍ରବେଶ ପରେ ରାଜ୍ୟରେ ଗଞ୍ଜେଇ ଚାଷ ବୃଦ୍ଧି ପାଇଛି । ମୁଖ୍ୟତଃ ମାଓ ପ୍ରବଣ ଜିଲ୍ଲା କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ ଏବଂ ଅନ୍ୟ ସୀମାନ୍ତ ଜିଲ୍ଲାରେ ଏହି ଚାଷ କରାଯାଉଛି ।
ଯୁବପିଢୀଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ଏହି ବିପଦକୁ ଦୂରକରିବାକୁ ପ୍ରତିଶୃତିବଦ୍ଧ। ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ଅମଳଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ -୨୦୨୫ ପର୍ୟ୍ୟନ୍ତ ଜାରି ରହିବ । ଗତ ବର୍ଷ ଓଡିଶା ପୋଲିସ ପ୍ରାୟ ୧୦,୫୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରି ଥିଲା ବେଳେ,ଏହି ବର୍ଷ ଆମେ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ଆମର ପ୍ରୟାସ ଜାରି ରଖିବୁ। ରାଜ୍ୟରୁ ମାଓବାଦୀ ଓ ଗଞ୍ଜେଇ ଚାଷର ମୂଳପୋଛ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଡିଜିପି ୱାଇ ବି ଖୁରାନିଆ କହିଛନ୍ତି ।