ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଦ୍ୱିତୀୟ ତଥା ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଗୃହ କାର୍ଯ୍ୟ ସୁରୁଖରେ ଚଳାଇବାକୁ ନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।
ଚଳିତ ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଡିସେମ୍ବର ୧, ୮, ୧୫, ୨୨ ଏବଂ ୨୯ ରବିବାର ପଡ଼ୁଥିବାରୁ ଏହି ଦିନମାନଙ୍କରେ ଗୃହ କାର୍ଯ୍ୟ ବନ୍ଦ ରହିବ । ସେହିପରି ବଡ଼ ଦିନ ପାଇଁ ଡିସେମ୍ବର ୨୫ ମଧ୍ୟ ଛୁଟି ରହିବ ।
ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ସହିତ ସରକାର ବିଭିନ୍ନ ବିଲ ଆଗତ କରିପାରନ୍ତି । ସେଥିପାଇଁ ଏହା ଉପରେ ଜନସାଧାରଣଙ୍କର ନଜର ରହିଛି । ଅନ୍ୟପକ୍ଷରେ ଗୃହ ବେଶ ସରଗରମ ହେବାର ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବିରୋଧୀ । ବିଶେଷ କରି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ପ୍ରସଙ୍ଗ, ଆଦାନୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ବିଜେଡ଼ି ଓ କଂଗ୍ରେସ । ସେପଟେ ବିରୋଧୀକୁ ଉଚିତ ଉତ୍ତର ଦେବାକୁ ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ତେବେ ବିଜେପି ପ୍ରଥମ ଥର ପାଇଁ ସରକାରକୁ ଆସିବା ପରେ ଏହା ଦ୍ୱିତୀୟ ବିଧାନସଭା ଅଧିବେଶନ ହେବ ।
ଅନ୍ୟପକ୍ଷରେ ଆଜି ସଂସଦ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବୈଠକରେ ଆଦାନୀ ଓ ମଣିପୁର ହିଂସା ଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ଆଲୋଚନା ପାଇଁ ଦାବି କରିଛନ୍ତି । ଅଧିବେଶନରେ ୱାକଫ୍ ସଂଶୋଧନ, ୱାନ୍ ନେସନ୍-ୱାନ୍ ଇଲେକ୍ସନ ଭଳି ୧୬ଟି ବିଲ୍ ଆଣିବାକୁ ସରକାର ସଙ୍କେତ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା । ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା । ଏହି ଅଧିବେଶନରେ ମୋହନ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ । ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଣିଥିଲେ ସରକାର ।