ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କଠାରେ ପଇତା ଲାଗି କରାଯିବ । ଆଜି ସନ୍ଧ୍ୟାରେ ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ନୀତି ଚାଲିବ । ଏଥିପାଇଁ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଶ୍ରୀବିଗ୍ରହଙ୍କଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ପଇତା ଲାଗି କରାଯାଇଥାଏ । ମାର୍ଗଶୀର କୃଷ୍ଣପକ୍ଷ ଦଶମୀ ତିଥି ଅବସରରେ ମହାପ୍ରଭୁଙ୍କ ପଇତା ଲାଗି କରାଯିବ । ଦଇତାପତି ସେବାୟତମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନ ସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି । ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସେହି ସମୟରେ ଶ୍ରୀମନ୍ଦିରର ଜୟ ବିଜୟ ଦ୍ଵାର ବନ୍ଦ ରହିବ । ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ନାହିଁ । ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ ।