ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵରର ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି କରିବା ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ନଗଦ ଟଙ୍କା ସହ ଏକ ସ୍କୁଟିକୁ ମଧ୍ୟ ଜବତ କରାଯାଇଥିବା ନେଇ ଏସଡିପିଓ ସୁଚନା ଦେଇଛନ୍ତି। ପୋଲିସ ସୁଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଗୁଡିକରେ ଥିବା ହୁଣ୍ଡି ଗୁଡ଼ିକୁ ଭାଙ୍ଗି ଚୋରି ହେଉଥିବା ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଆସୁଥିଲା। ଏନେଇ ସମ୍ବଲପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଏହି ଚୋରି ଘଟଣାରେ ପୋଲିସ ବ୍ୟୋମକେଶ ମିର୍ଦ୍ଧା ଓ କିଶୋର ମିର୍ଦ୍ଧାଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ୧୦ହଜାର ୨୨୦ ଟଙ୍କା, ୨ଟି ମୋବାଇଲ ଫୋନ ଓ ସ୍କୁଟି ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଚୋର ଫେରାର ମାରିଥିବାରୁ ସେମାନଙ୍କୁ ଧରିବାର ଉଦ୍ୟମ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।