ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଏବେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁରରେ ପହଁଚିଛି । ଏଡିଜି ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରାଇମ୍ବ୍ରାଞ୍ଚର ୩ଟି ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ୍ ଥାନା ଘେରାଉର ତଦନ୍ତ ହେବ ।
ଜଣେ ଇନସ୍ପେକ୍ଟର ଓ ୨ ଜଣ ଡିଏସ୍ପିଙ୍କୁ ନେଇ ୬ ଜଣିଆ ସଦସ୍ୟ ତଦନ୍ତ କରିବେ । ଆଜି ପ୍ରଥମ ଦିନରେ ବିଧାୟକଙ୍କ ବ୍ୟକ୍ତିଗତ ସହାୟକ (ପିଏସଓ)ଙ୍କ ବୟାନ ରେକର୍ଡ କରାଯିବ । ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଟାଉନ ଥାନା ଘେରାଉ କରିବା ମାମଲାରେ ତଦନ୍ତ କରିବେ ଇନସ୍ପେକ୍ଟର । ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ CDR ରେକର୍ଡ଼ ଅନୁସାରେ ଭବ ଦାସଙ୍କୁ ପଚରାଉଚୁରା କରିବା ସହ ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି ପାରେ କ୍ରାଇମବ୍ରାଞ୍ଚ । ବିଧାୟକଙ୍କୁ ଆକ୍ରମଣ, ବିରଜା ହାଟ ବିବାଦ, ରାସ୍ତାର ରୋକ ଓ ଟାଉନ ଥାନା ଘେରାଉ ମାମଲାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ।
ଗତ ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ କରାଯାଇଥିଲା । ବିରଜା ପ୍ରକଳ୍ପକୁ ବିରୋଧ କରି ରାସ୍ତା ରୋକ କରାଯିବା ବେଳେ ବିଧାୟକଙ୍କୁ ଆକ୍ରମଣ ହୋଇଥିଲା । ପରଦିନ ପୁଣି ଥରେ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ବିବାଦ ଦେଖାଦେଇଥାଏ । ଏମିତି ଭିନ୍ନ ଭିନ୍ନ ମାମଲାରେ ଭବ ପ୍ରସାଦ ଦାସଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।