ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସମ୍ବିଧାନରୁ ହଟିବ ନାହିଁ ‘ସମାଜବାଦ ‘ଓ ‘ଧର୍ମନିରପେକ୍ଷ’ ଶବ୍ଦ । ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ପ୍ରସ୍ତାବନାରେ ୧୯୭୬ରେ ପାରିତ ୪୨ତମ ସଂଶୋଧନ ଅନୁସାରେ “ସମାଜବାଦୀ” ଓ “ଧର୍ମନିରପେକ୍ଷ” ଶବ୍ଦକୁ ହଟାଇବା ଦାବିରେ ଦାୟର ଯାଚିକାକୁ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ଓ ବିଚାରପତି ପିବି ସଞ୍ଜୟ କୁମାରଙ୍କ ପୀଠ କହିଛନ୍ତି ସଂସଦ ନିକଟରେ ସମ୍ବିଧାନରେ ସଂଶୋଧନ କରିବାର ଅଧିକାର ରହିଛି । କିନ୍ତୁ କୌଣସି ସଂଶୋଧନରେ ସମ୍ବିଧାନର ମୂଳ ତତ୍ୱରେ ପରିବର୍ତ୍ତନ କରାଯିବା ଉଚିତ୍ ନୁହେଁ ।
କୋର୍ଟ କହିଛନ୍ତି, ୧୯୪୯ ନଭେମ୍ବର ୨୬ରେ ପ୍ରସ୍ତାବନା ଆଧାରରେ ଏହି ଦୁଇ ଶବ୍ଦକୁ ସମ୍ବିଧାନରୁ ହଟାଯାଇ ପାରିବ ନାହିଁ । କାରଣ ଏହି ଦିନ ସମ୍ବିଧାନକୁ ଲୋକଙ୍କୁ ପ୍ରଦାନ କରାଯାଇଥିଲା । ସଂସଦର ସଂଶୋଧନ କରିବାର ଶକ୍ତି ପ୍ରସ୍ତାବନା ଯାଏ ରହିଛି । ପ୍ରସ୍ତାବନାକୁ ଆପଣେଇବାର ତାରିଖ ସଂସଦର ପ୍ରସ୍ତାବନାରେ ସଂଶୋଧନ କରିବାର ଶକ୍ତିକୁ ସୀମିତ କରି ନ ଥାଏ । ଏହି ଆଧାରରେ ଆବେଦନକାରୀଙ୍କ ଯାଚିକାକୁ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି । ସିଜେଆଇ ଶୁଣାଣି ସମୟରେ ପ୍ରଶ୍ନ କରିଛନ୍ତି ଯେ, ଏତେ ବର୍ଷ ପରେ ଏବେ କାହିଁକି ଏହି ପ୍ରସଙ୍ଗକୁ ଉଠାଯାଉଛି ।
ଏହା ପୂର୍ବରୁ ପୀଠ ଏହି ଆବେଦନକୁ ବଡ ପୀଠକୁ ପଠାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଥିଲେ । ନଭେମ୍ବର ୨୨ରେ ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ଭାରତୀୟ ଅର୍ଥରେ ସମାଜବାଦୀ ହେବା କେବଳ କଲ୍ୟାଣକାରୀ ରାଜ୍ୟ ଭାବେ ବୁଝାଯାଏ । ଭାରତରେ ସମାଜବାଦକୁ ବୁଝିବାର ଶୈଳୀ ଅନ୍ୟ ଦେଶଠୁ ବହୁତ ଭିନ୍ନ ଅଟେ । ଆମ ଭାଷାରେ ସମାଜବାଦର ମୁଖ୍ୟ ଅର୍ଥ କଲ୍ୟାଣକାରୀ ରାଜ୍ୟ ଅଟେ । ଏଥିରେ ସମସ୍ତଙ୍କ ମଙ୍ଗଳ ହୋଇଛି । ସମାଜବାଦର ଶବ୍ଦର ପ୍ରୟୋଗ ରାଜ୍ୟ ଏକ କଲ୍ୟାଣକାରୀ ରାଜ୍ୟ ଭାବେ କରାଯାଏ ବୋଲି ସିଜେଆଇ କହିଛନ୍ତି ।