ମୁୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ଅଙ୍କକଷା ମଧ୍ୟରେ ଏକନାଥ ସିନ୍ଦେଙ୍କ ଶିବସେନା ବିହାର ମୋଡେଲ୍ ଆଧାରରେ ମୁଖ୍ୟମନ୍ତ୍ରୀ ସ୍ଥିର କରିବାକୁ ଦାବି କରିଛି । ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କହିଛି ଯେ, ବିହାରରେ ବିଜେପି ନୀତିଶ କୁମାରଙ୍କୁ କମ ସିଟ୍ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କରିଥିଲା । ଏମିତି ସମୀକରଣ ମହାରାଷ୍ଟ୍ରରେ ମଧ୍ୟ ଆପଣେଇବା ଉଚିତ୍ । ଆଉ ବିଜେପିକୁ ମେଣ୍ଟ ଧର୍ମ ପାଳନ କରୁଥିବାର ସନ୍ଦେଶ ଦେବା ଉଚିତ୍ । କେବଳ ଏତିକି ନୁହେଁ ଏକନାଥଙ୍କ ଗୋଷ୍ଠୀ ହରିୟାଣାର ଉଦାହରଣ ମଧ୍ୟ ଦେଇଛନ୍ତି ।
ସିନ୍ଦେ ଗୋଷ୍ଠୀ କହିଛନ୍ତି ଯେ, ହରିୟାଣାରେ ନିର୍ବାଚନର ଛଅ ମାସ ପୂର୍ବରୁ ନାଏବ ସିଂ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ଆଉ ତାଙ୍କ ନେତୃତ୍ୱରେ ହିଁ ନିର୍ବାଚନ ଲଢାଗଲା । ବିଜେପି ଜିତିବା ପରେ ଏବେ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଏହି ଆଧାରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍ ।
ଶିବସେନାର ସାଂସଦ ନରେଶ ମହାସ୍କେ କହିଛନ୍ତି ବିଜେପିକୁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ସଞ୍ଜୟ ରାଉତଙ୍କ ପରି ଲୋକଙ୍କୁ ଜବାବ ଦେବା ଉଚିତ୍ । ସଞ୍ଜୟ ରାଉତ ସର୍ବଦା କହି ଆସିଛି ଯେ, ବିଜେପି ସହଯୋଗୀ ଦଳଗୁଡିକୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରେ, ପୁଣି ସ୍ୱାର୍ଥ ସାଧନ ପରେ ଫୋପାଡି ଦିଏ । ତେଣୁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଏମିତି ପ୍ରୋପାଗାଣ୍ଡାକୁ ଜବାବ ଦେବା ଉଚିତ୍ ।
ସେ କହିଛନ୍ତି ବିହାରରେ ଯେବେ ଏନଡିଏ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ସେହି ସମୟରେ ଜେଡିୟୁକୁ କମ ସିଟ୍ ମିଳିଥିଲା । ତଥାପି ନୀତିଶ କୁମାରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା । ଏମିତି ରଣନୀତି ମହାରାଷ୍ଟ୍ରରେ ମଧ୍ୟ ଲାଗୁ କରାଯିବା ଉଚିତ୍ ।
ଏହା ମଧ୍ୟରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକ ଚାହାନ୍ତି ଦେବେନ୍ଦ୍ର ଫଡଣବିସଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ତିନି ଦଳର କର୍ମକର୍ତ୍ତା ଚାହାନ୍ତି ତାଙ୍କ ନେତା ମୁଖ୍ୟମନ୍ତ୍ରୀ ହେଉ । ମାତ୍ର ଏହା ଉପରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବ । ମହାରାଷ୍ଟ୍ରରେ ଆଜି ବିଜେପି ବିଧାୟକ ଦଳ ବୈଠକ ବସିବ ।
ମହାରାଷ୍ଟ୍ର ନିର୍ବାଚନରେ ବିଜେପିକୁ ୧୩୨ ସିଟ୍ ମିଳିବା ପରେ ଦଳ ଦେବେନ୍ଦ୍ର ଫଡଣବିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ତେବେ ଏକନାଥ ସିନ୍ଦେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ବଡ ଦାବିଦାର ଭାବେ ରହିଛନ୍ତି । ତେଣୁ ଏବେ ମହାୟୁତିରେ ବିସ୍ତୃତ ଆଲୋଚନା ଚାଲିଛି ।