ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନ ଶୀତ ଅଧିବେଶନ । ଏଥିପାଇଁ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ପୁଲିସ ଟିମ୍ ସହ ଅନ୍ୟ ସୁରକ୍ଷା ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ୨୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ
ଏହା ସହିତ ୮ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ସିଆରପିଏଫ୍, ୨ ସ୍ପେଶାଲ ଟାକ୍ଟିକ୍ ୟୁନିଟ୍ ଏବଂ ୪ ପ୍ଲାଟୁନ୍ ଏସଓଜି କମାଣ୍ଡ ନିୟୋଜିତ ହେବେ । ସେହିପରି ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁରଙ୍କ ମଧ୍ୟ ସୁରକ୍ଷାରେ ସାମିଲ କରାଯିବ । ସେହିପରି ସାଧା ପୋଷାକ ଧାରୀ ଗୁଇନ୍ଦା ଅଧିକାରୀ ମଧ୍ୟ ରହିବେ । ସମ୍ପୂର୍ଣ୍ଣ ଗାନ୍ଧୀ ମାର୍ଗକୁ ସିସିଟିଭି ଜରିଆରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଖୁରାନିଆ ।
ଅନ୍ୟପକ୍ଷରେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଉପସ୍ଥିତ ଥିଲେ । ଗୃହ କାର୍ଯ୍ୟକୁ ସୁରୁଖରେ ଚଳାଇବାକୁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।