ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେଗା ନିଲାମରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହେବାରେ ଲାଗିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି) ୨୭ କୋଟି ଟଙ୍କା ଖର୍ଚ୍ଚ କରି ଋଷଭ ପନ୍ତଙ୍କୁ ନିଜ ଦଳରେ ସାମିଲ କରିଛି। ଆଉ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ଏହା ବ୍ୟତୀତ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗ୍ସ। ଶ୍ରେୟସଙ୍କ ଉପରେ ଏତେ ଟଙ୍କା ବର୍ଷା ହେବା ସଭିଙ୍କୁ ଚକିତ କରିଛି। ମାତ୍ର ନିଲାମରେ ଏ ପର୍ୟ୍ୟନ୍ତ କିଛି ଏମିତି ଖେଳାଳି ଅଛନ୍ତି, ଯେଉଁମାନେ ଖୁବ୍ ମହଙ୍ଗା ବିକ୍ରି ହୋଇ ପାରିଥାନ୍ତେ। ମାତ୍ର ଦଳ ଗୁଡ଼ିକ ବହୁତ ଶସ୍ତାରେ ସେମାନଙ୍କୁ କିଣି ବଡ଼ ଫାଇଦା ପାଇଛନ୍ତି।
୧. କେଏଲ ରାହୁଲ- ୧୪ କୋଟି(ଦିଲ୍ଲୀ କ୍ୟାପିଟାଲ୍ସ)
କେଏଲ ରାହୁଲଙ୍କୁ ଆଇପିଏଲ୍ ୨୦୨୪ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରିଲିଜ୍ କରିଥିଲା। ସେ ଦଳର ଅଧିନାୟକ ଥିଲେ। ବିଶ୍ଵସ୍ତରୀୟ ଓ୍ଵିକେଟ୍ କିପର ଓ ଟପ୍ ବ୍ୟାଟର କେଏଲ ରାହୁଲଙ୍କୁ ୨୦-୨୫ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାଙ୍କୁ ମାତ୍ର ୧୪ କୋଟି ଟଙ୍କାରେ କିଣି ପାରିଛି ଦିଲ୍ଲୀ କ୍ୟାପିଟାଲ୍ସ।
୨ . ଗ୍ଲେନ ମ୍ୟାକ୍ସଓ୍ଵେଲ- ୪.୨୦ କୋଟି(ପଞ୍ଜାବ କିଙ୍ଗ୍ସ)
ମ୍ୟାକ୍ସଓ୍ଵେଲ ୨୦୨୦ରୁ ଆରସିବି ପାଇଁ ଖେଳୁଥିଲେ ଏବଂ ଗତ ସିଜିନ ଖେଳିବା ପାଇଁ ତାଙ୍କୁ ୧୧ କୋଟିଟଙ୍କା ମିଳିଥିଲା। ମାତ୍ର ଏଥର ପଞ୍ଜାବ କିଙ୍ଗ୍ସ ତାଙ୍କୁ ମାତ୍ର ୪.୨୦ କୋଟି ଟଙ୍କାରେ କିଣିଛି। ମ୍ୟାକ୍ସଓ୍ଵେଲ ଶେଷ ଥର ୨୦୧୭ରେ ପଞ୍ଜାବ ପାଇଁ ଖେଳିଥିଲେ।
୩. ରଚିନ ରବୀନ୍ଦ୍ର- ୪ କୋଟି(ସିଏସକେ)
ରଚିନ ରବୀନ୍ଦ୍ର ଗତ ସିଜିନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳି ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ। ଗତ ସିଜିନରେ ସେ ୧୦ଟି ମ୍ୟାଚରେ ସିଏସକେ ପାଇଁ ୨୨୨ ରନ କରିଥିଲେ। ସେ ନିଜର ୧୬୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ କାରଣରୁ ଚର୍ଚ୍ଚାରେ ଥିଲେ। ରବୀନ୍ଦ୍ରଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ବଢୁଥିବା ନିଜର ପ୍ରସିଦ୍ଧିକୁ ଦେଖିଲେ ୪ କୋଟି ଟଙ୍କା ତାଙ୍କ ପାଇଁ ବହୁତ କମ।
୪ . ଆଡନ ମାରକ୍ରମ- ୨ କୋଟି(ଏଲଏସଜି)
ଆଡନ ମାରକ୍ରମ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ମାରକ୍ରମ ଆଇପିଏଲରେ ଏସଆରଏଚର ନେତୃତ୍ଵ ନେଇ ସାରିଛନ୍ତି। ତାଙ୍କର କ୍ରିକେଟ୍ ଉପରେ ବିଚକ୍ଷଣ ବୁଦ୍ଧି ରହିଛି। ଏହା ସତ୍ତ୍ଵେ ତାଙ୍କ ଉପରେ କୌଣସି ଫ୍ରାଞ୍ଚାଇଜ ୨ କୋଟିରୁ ଅଧିକ ନିଲାମୀ ଡାକି ନାହାନ୍ତି।
୫. ମିଚେଲ୍ ମାର୍ଶ- ୩.୪୦ କୋଟି(ଏଲଏସଜି)
ମିଚେଲ୍ ମାର୍ଶ ବ୍ୟାଟିଂରେ ବଡ ବଡ ସର୍ଟ ଲଗାଇବା ପାଇଁ ଖ୍ୟାତି ଅର୍ଜନ କରିଛନ୍ତି। ବୋଲିଂରେ ସେ ନିରନ୍ତର ଓ୍ଵିକେଟ୍ ମଧ୍ୟ ନେଇଥାନ୍ତି। ସେ ନିଜର ଆଇପିଏଲ୍ କ୍ୟାରିୟରରେ ୧୩୪ ମ୍ୟାଚ୍ ଖେଳି ୨୭୭୧ ରନ କରିବା ସହ ୩୭ ଓ୍ଵିକେଟ୍ ନେଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଗତ ସିଜିନରେ ତାଙ୍କୁ ୬.୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା।କିନ୍ତୁ ଏଥର ଲକ୍ଷ୍ନୌ ତାଙ୍କୁ ୩.୪୦ କୋଟି ଶସ୍ତାରେ କିଣିଛି।