ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି)ର ୨୦୨୪-୨୫ର ଅଙ୍କ ତାଲିକାରେ ଭାରତୀୟ ଦଳ ପୁଣି ଥରେ ନମ୍ବର ୱାନ ସ୍ଥାନ ହାସଲ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ତିନି ମ୍ୟାଚ୍ ହାରିବା ପରେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା । ମାତ୍ର ଏବେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଏହା ବାଦ୍ ପଏଣ୍ଟ ଟେବୁଲରେ ଅନ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଏହା ବାଦ୍ ପର୍ଥର ଅପଟସ ଷ୍ଟାଡିୟମରେ କଙ୍ଗାରୁ ଦଳ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଛି ।
ପର୍ଥ ଟେଷ୍ଟ ପରେ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ୬୧.୧୧ ବିଜୟ ପ୍ରତିଶତ ସହ ପ୍ରଥମ ସ୍ଥାନକୁ ଉଠିଥିବା ବେଳେ ଅଷ୍ଟ୍ରେଲିଆ ୫୭.୫୯ ବିଜୟ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନକୁ ଖସିଛି । ତୃତୀୟ ସ୍ଥାନରେ ଶ୍ରୀଲଙ୍କା ରହିଛି । ଏହି ଦଳର ବିଜୟ ପ୍ରତିଶତ ୫୫.୫୬ ପ୍ରତିଶତ ରହିଛି । ନ୍ୟୁଜିଲାଣ୍ଡ ୫୪.୫୫ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି ।
ପଞ୍ଚମରେ ଦକ୍ଷିଣ ଆଫ୍ରିକା ରହିଛି ଯିଏ ନ୍ୟୁଜିଲାଣ୍ଡଠୁ ଅଧିକ ପଛରେ ନାହିଁ । ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୫୪.୧୭ ରହିଥିବା ବେଳେ ଇଂଲଣ୍ଡ ୪୦.୭୯ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ବିରାଜମାନ । ୩୩.୩୩ ପ୍ରତିଶତ ସହ ସପ୍ତମରେ ପାକିସ୍ତାନ ରହିଛି ।
ଉଲ୍ଲେଖନୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ୨୦୨୩-୨୫ ଚକ୍ରରେ ଅଙ୍କ ତାଲିକାର ଶୀର୍ଷରେ ଥିବା ଦୁଇ ଦଳ ଫାଇନାଲ୍ ଖେଳିବେ । ଏହି ମୁକାବିଲା ଇଂଲଣ୍ଡରେ ଆସନ୍ତାବର୍ଷ ଜୁନ ମାସରେ ଖେଳାଯିବ । ବର୍ତ୍ତମାନ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସହିତ ନ୍ୟୁଜିଲାଣ୍ଡ ଫାଇନାଲ୍ ଦୌଡରେ ରହିଛି ।