ପର୍ଥ: ସ୍ଥାନୀୟ ଅପ୍ଟସ୍ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଚତୁର୍ଥ ଦିନର ଖେଳ ଜାରି ରହିଛି। ଏହି ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଭାରତର ହାତରେ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରୁଛନ୍ତି। ଅଷ୍ଟ୍ରେଲିଆ ୧୮୨ ରନ୍ରେ ୭ଟି ମୂଲ୍ୟବାନ ୱିକେଟ୍ ହରାଇଛି। ଏହି ମ୍ୟାଚ୍ ବିଜୟ ପାଇଁ ଆହୁରି ୩୫୨ ରନ୍ ଦରକାର ଅଛି। ଅନ୍ୟପଟରେ ହାତରେ ମାତ୍ର ୩ଟି ୱିକେଟ୍ ରହିଛି।
ଦ୍ବିତୀୟପାଳିରେ ଅଷ୍ଟ୍ରେଲିଆର ଆଗଧାଡ଼ିର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ନାଥନ୍ ମ୍ୟାକ୍ସୁଇନି ଖାତା ନଖୋଲି ପାଭଲିଅନ୍ ଫେରିଥିବା ବେଳେ ଉସମାନ ଖୱାଜା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। ପେଟ୍ କମିନ୍ସ ୨ ରନ୍, ମାର୍ନୁସ ଲାବୁସାନ୍ ୩ ରନ୍ ଓ ଷ୍ଟିଭ୍ ସ୍ମିତ୍ ୧୭ ରନ୍ ସଂଗ୍ରହ କରିଥିଲେ। ତେବେ ଟ୍ରାଭିସ୍ ହେଡ୍ ଓ ମିଚେଲ୍ ମାର୍ସ ସଂଘର୍ଷ କରିଥିଲେ। ଉଭୟ ଅଭିଜ୍ଞ ଖେଳାଳି ୬ଷ୍ଠ ୱିକେଟ୍ରେ ୮୨ ରନ୍ର ଭାଗିଦାରୀ କରିପାରିଥିଲେ। ଟ୍ରାଭିସ୍ ହେଡ୍ ୧୦୧ଟି ବଲ୍ ଖେଳି ୮ଟି ଚୌକା ବଳରେ ୮୯ ରନ୍ କରି ପଡ଼ିଆରୁ ବିଦାୟ ନେଇଥିଲେ। ମିଚେଲ ମାର୍ସ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ୪୭ ରନ୍ରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୩-୩ଟି ୱିକେଟ୍ ନେଇଛନ୍ତି।
ଟିମ୍ ଇଣ୍ଡିଆ ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ୫୩୪ ରନର ଟାର୍ଗେଟ ଦେଇଥିଲା। ଜବାବରେ ଘରୋଇ ଦଳ ଦ୍ବିତୀୟ ପାଳିରେ ୧୨ ରନ୍ ସ୍କୋରରେ ୩ ଓ୍ଵିକେଟ୍ ହରାଇଥିଲା। ତୃତୀୟ ଦିନର ଖେଳ ଶେଷ ହେଲା ବେଳକୁ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫୨୨ ରନ୍ ଦରକାର କରୁଛିଲା। ଭାରତ ପ୍ରଥମ ଇନିଂସରେ ୧୫୦ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୦୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।