ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭାଲରେ ରବିବାର ପ୍ରବଳ ହିଂସାକାଣ୍ଡ ନେଇ ପୁଲିସ ସତର୍କ ରହିଛି। ସ୍ଥାନୀୟ ଜାମା ମସଜିଦ୍ ସର୍ଭେକୁ ବିରୋଧ କରୁଥିବା ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ସୁରକ୍ଷାକର୍ମୀ ଓ ୪ ଜଣ ପ୍ରଶାସନିକ କର୍ମଚାରୀ ଆହତ ହୋଇଛନ୍ତି। ପଥର ଓ ଇଟା ଫିଙ୍ଗିବା, ବିକ୍ଷୋଭକାରୀମାନେ ଗାଡ଼ିରେ ନିଆଁ ଲଗାଇବା ସହ ପୁଲିସ ଉପରକୁ ପଥର ମାଡ଼ କରିବା ପରେ ପୁଲିସ ଲୁହବୁହା ଗ୍ୟାସ୍ ଓ ଲାଠି ପ୍ରୟୋଗ କରି ଭିଡ଼କୁ ବିଚ୍ଛିନ୍ନ କରିଥିଲା।
ମୋରାଦାବାଦ ଡିଭିଜନାଲ କମିଶନର ଅଞ୍ଜନେୟ କୁମାର ସିଂହ କହିଛନ୍ତି ଯେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ, ଏସପିଙ୍କ ପିଆରଓଙ୍କ ଗୋଡରେ ଗୁଳି ବାଜିଥିଲା, ସିଓ ଙ୍କୁ ଛୁରୀ ରେ ଆଘାତ ଲାଗିଥିଲା ଏବଂ ୨୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଏଥିରେ ଜଣେ କନଷ୍ଟେବଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଉପଜିଲ୍ଲାପାଳଙ୍କ ଗୋଡ଼ ଭାଙ୍ଗି ଯାଇଛି। ନଭେମ୍ବର ୨୫ରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିବା ସହ ସମ୍ଭାଲ ତହସିଲରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଡିଏମ୍ଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶ ବନ୍ଦ, ସହର ସୀମା ସିଲ୍ କରାଯାଇଛି।
ସମ୍ଭାଲ ହିଂସାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ନଇମ୍, ବିଲାଲ ଅନସାରୀ, ନୌମାନ ଓ ମହମ୍ମଦ କୈଫ୍। ରାତି ୧୧ଟାରେ ନୌମାନ ଓ ବିଲାଲ ଅନସାରୀଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା। ହିଂସା କାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି। ସମ୍ଭାଲରେ ପୁଲିସ ଗୁଳିରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ କମିଶନଙ୍କୁ ଏକ ଭିଡିଓ ମଧ୍ୟ ପଠାଯାଇଛି।
ଗୋଟିଏ ପଟେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଭୀମ ଆର୍ମି ମୁଖ୍ୟ ତଥା ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦ ସୋମବାର ଅର୍ଥାତ୍ ଆଜି ସମ୍ଭଲ ଯାଇ ମୃତକଙ୍କ ପରିବାରକୁ ଭେଟିବେ ବୋଲି ଘୋଷଣା କରିଛନ୍ତି। ଚନ୍ଦ୍ରଶେଖର ଆଜାଦ ଏକ୍ସରେ ଲେଖିଛନ୍ତି ଯେ ସରକାରୀ ଗୁଳି ସିଧାସଳଖ ବହୁଜନଙ୍କ ଉପରେ ଚାଲିଥାଏ।
ଅଧିକ ପଢ଼ନ୍ତୁ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ