ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରଠାରୁ ଦେଶର ରାଜନୈତିକ ବାତାବରଣ ବହୁତ ବଦଳିଯାଇଛି। ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଆସନ୍ତା ଡିସେମ୍ବର ୨୦ ତାରିଖ ଯାଏଁ ଜାରି ରହିବାକୁ ଥିବା ଅଧିବେଶନରେ ଶାସକ ଦଳକୁ ଟାର୍ଗେଟ୍ କରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ବୈଠକରେ ଆଦାନୀ ଓ ମଣିପୁର ହିଂସା ଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ଯେଭଳି ଆଲୋଚନା ପାଇଁ ଦାବି କରିଛନ୍ତି, ସେଥିରେ ହଙ୍ଗାମା ହେବା ନିଶ୍ଚିତ। ଅଧିବେଶନରେ ୱାକଫ୍ ସଂଶୋଧନ, ୱାନ୍ ନେସନ୍-ୱାନ୍ ଇଲେକ୍ସନ ଭଳି ୧୬ଟି ବିଲ୍ ଆଣିବାକୁ ସରକାର ସଙ୍କେତ ଦେଇଛନ୍ତି।
ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଫଳାଫଳର ପ୍ରଭାବ ମଧ୍ୟ ଅଧିବେଶନରେ ଦେଖିବାକୁ ମିଳିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଅଧିବେଶନ ପାଇଁ ସରକାର ୧୬ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି। ଏଥିରେ ୱାକ୍ଫ ସଂଶୋଧନ ବିଲ୍ ଏବଂ ପଞ୍ଜାବ କୋର୍ଟ ସଂଶୋଧନ ବିଲ୍ ଅନ୍ତର୍ଭୁକ୍ତ। ଏହା ସହ ଅଧିବେଶନରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ମଧ୍ୟ ଆଗତ ହୋଇପାରେ। ଏନେଇ ସରକାର ପୂର୍ବରୁ ସଙ୍କେତ ଦେଇସାରିଛନ୍ତି।
ସରକାର ନିୟମ ଅନୁଯାୟୀ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରିଜିଜୁ କହିଛନ୍ତି। ଗୃହର ସମୟ ଆଦୌ ନଷ୍ଟ ହେଉ ବୋଲି ସେ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ୱାକଫ୍ ସଂଶୋଧନ ବିଲ୍ ଉପରେ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ଜେସିପି ମଧ୍ୟ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନରେ ରିପୋର୍ଟ ଦାଖଲ କରିବେ।
ତେବେ ଜେପିସିକୁ ଦିଆଯାଇଥିବା ସମୟକୁ ଆହୁରି ବଢ଼ାଇବାକୁ ବିରୋଧୀ ଦାବି କରିଛନ୍ତି। ସେପଟେ ଅଧିବେଶନ ସମୟରେ ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କ ଆଗରେ ନିଜର ଦାବି ରଖିଛନ୍ତି। ଲୋକସଭାରେ ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇ ଆଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଉପରେ ଆଲୋଚନା ପାଇଁ ସରକାରଙ୍କ ଦାବି ଉପରେ ଆଲୋକପାତ କରିଥିଲେ। ମଣିପୁର ହିଂସା, ଉତ୍ତର ଭାରତରେ ବାୟୁ ପ୍ରଦୂଷଣର ଉଦ୍ବେଗଜନକ ସ୍ଥିତି ଏବଂ ରେଳ ଦୁର୍ଘଟଣା ଉପରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ଓଡ଼ିଶା ପର୍ବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ