ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା କରଛନ୍ତି । ମୃତକ ଜଣକ ହେଲେ ସୁଜାତା କର । ସେ ଚନ୍ଦ୍ରଶେଖରପୁର ଥାନାରେ ହୋମଗାର୍ଡଭାବେ କାର୍ଯ୍ୟରତ ଥିଲେ ।
ସୂଚନାନୁସାରେ, ମହିଳା ହୋମଗାର୍ଡ ସୁଜାତା ମାତ୍ର ତିନି ମାସ ତଳେ ଚାକିରୀରେ ଯୋଗ ଦେଇଥିଲେ । ତାଙ୍କର ଦୁଇଟି ପିଲା ଅଛନ୍ତି । ଗତ ୬ ମାସ ତଳେ ତାଙ୍କ ସ୍ୱାମୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ସୁଜାତାଙ୍କ ଶ୍ୱଶୁର ମଧ୍ୟ ପୂର୍ବରୁ ଚାଲିଯାଇଥିଲେ । ଏହା ପରେ ସୁଜାତା ମାନସିକ ଅବସାଦରେ ଥିଲେ । କାରଣ ସେ ହିଁ ଘରର ଏକମାତ୍ର ରୋଜଗାରିଆ ମଣିଷ ଥିଲେ । ଦୁଇ ପିଲା ଏବଂ ଶାଶୁଙ୍କୁ ନେଇ ସୁଜାତା ଚଳୁଥିଲେ । ତାଙ୍କର ଦୁଇ ପିଲାଙ୍କ ମଧ୍ୟରୁ ଜଣେ ଅଟିଜିମ୍ ଥିଲା । ଯେଉଁଥିପାଇଁ ସ୍ୱାମୀଙ୍କ ଦେହାନ୍ତ ପରେ ସୁଜାତା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ । ସେ ବିଭିନ୍ନ ସମୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ପରିବାର ଲୋକେ ବହୁତ ବୁଝାସୁଝା କରୁଥିଲେ । କିନ୍ତୁ ଗତକାଲି ରାତିରେ ସବୁ କିଛି ଶେଷ ହୋଇଯାଇଛି । ସୁଜାତା ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ ।
ସୁଜାତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଚନ୍ଦ୍ରଶେଖରପୁର ଥାନା ପୋଲିସ ସୁଜାତାଙ୍କ ମୃତ ଦେହକୁ ଜବତ କରିଛି । ମୃତ୍ୟୁର କାରଣ ମାନସିକ ଚାପ ନା ଆଉ କିଛି ତାହା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।