ନୂଆଦିଲ୍ଲୀ : ଇଣ୍ଡିଆଗେଟ ନିକଟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଓଡ଼ିଆ ଜାତିର ମହାପୁରୁଷଙ୍କ କଥା ମନେ ପକାଇଲେ ଓଡ଼ିଆ ଜାତିକୁ ଭୂୟସୀ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ସବୁ ଯୁଗରେ ସମଗ୍ର ରାଷ୍ଟ୍ର ଏବଂ ପୂରା ମାନବ ସମାଜର ସେବା କରିଛି' କହି ସମଗ୍ର ଓଡ଼ିଆ ଜାତିକୁ ପ୍ରଶଂସା କଲେ। ଏଥିସହ ସନ୍ଥକବି ଭୀମଭୋଇଙ୍କ 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ' ଉକ୍ତିକୁ ଉଦାହରଣ ଦେଇ ଏହା ହିଁ ଓଡ଼ିଶାର ସଂସ୍କୃତି ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରା ଯାଉଥିଲା। ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କଲି। ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶା ହେଉଛି ମାଇନିଂ ଓ ମେଟାଲ୍ ପାୱାର ହବ୍।
ଏହି କାର୍ଯ୍ୟକ୍ରମରେ ପଡିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଚା' ପିଇଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି।