ଭୁବନେଶ୍ୱର: ଆଜି ଘରେ ଘରେ ଆମିଷ ହୋଇଥାନ୍ତା। କାହା ଘରେ ମାଛ ତ କାହା ଘରେ ମାଂସ ହୋଇଥାନ୍ତା। କେଉଁ ରାତିରୁ ଦୋକାନରେ ଗ୍ରାହକଙ୍କ ଲାଇନ ଲାଗିଥାନ୍ତା। ଚଳଚଞ୍ଚଳ ହୋଇ ଉଠିଥାନ୍ତା ଆମିଷ ବଜାର। ବ୍ୟବସାୟୀଙ୍କ ଭଲ ଦୁଇ ପଇସା ବେପାର ମଧ୍ୟ ହୋଇଥାନ୍ତା। ହେଲେ ଏଥର ଛାଡଖାଇରେ ସେମିତି କିଛି ଦେଖିବାକୁ ମିଳିନାହିଁ। ଦିନ ୧ଟା ହେଲାଣି ଗ୍ରାହକଙ୍କ ଆସିବା ବାଟକୁ ବେପାରୀ ଚାହିଁ ବସିଥିବା ବେଳେ ଗ୍ରାହକଙ୍କ କିନ୍ତୁ ଦେଖା ମିଳୁନି।
ଦୀର୍ଘ ମାସେ ହେବ ଅଧିକାଂଶ ଲୋକଙ୍କ ଘରେ ଆମିଷ ରନ୍ଧାଯାଇନାହିଁ। ଅପେକ୍ଷା ରହିଥିଲା ଛାଡଖାଇକୁ। ହେଲେ ମାର୍ଗଶୀର ମାସ ଗୁରୁବାର ଲାଗି ଗୃହିଣୀମାନେ ଆଗରୁ ସତର୍କ କରିଥିଲେ ଆମିଷ ନ ଆଣିବାକୁ। ସେଥିପାଇଁ ଆଜି ଛାଡ଼ଖାଇରେ ଆମିଷ ବଜାରରେ ଗହଳି ବଦଳରେ ଖାଁ ଖାଁ ଦେଖିବାକୁ ମିଳିଛି ।
ଆମିଷ ଦର ମଧ ଗୁରୁବାର ପରେ ଶୁକ୍ରବାର ବଢିଯିବାର ଆଶଙ୍କା ରହିଛି। ପୁରୀ ସହର ସମେତ ଆଖପାଖ ଅଞ୍ଚଳବାସୀ ମାନେ ପୁରୀ ମାଛ ବଜାରରୁ ଆମିଷ କିଣିବ। ରେଡକ୍ରସ ରୋଡ ମାଛ ବଜାର, ମାର୍କେଟ ଛକ ମାଛ ବଜାର, ମଙ୍ଗଳାଘାଟ ଓ ବାଲିଘାଟ ମାଛ ମାର୍କେଟ ଓ ଷ୍ଟେସନ ମାଛ ବଜାରରେ ମାଛ ଗୋଦାମ ବ୍ଯବସାୟିଙ୍କ ସୂଚନା ଅନୁଯାଇ ୫ଶହ କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ମାଛ, ମାଂସ ଓ ଚିକେନ ବିକ୍ରି ହେବ।
ଆଜି ଗୁରୁବାର ପାଇଁ ଛାଡଖାଇ ପଡିଥିବାକୁ ଅଧିକାଂଶ ଲୋକଙ୍କ ଘରେ ଆମିଷ ହୋଇନାହିଁ। ଫଳରେ ରାଜଧାନୀ ଭୁବନେଶ୍ବରରେ ଛାଡଖାଇ ବଜାର ଖାଁ ଖାଁ ହୋଇଛି। ବେପାର ବି ମାନ୍ଦା ହୋଇଛି। କାଁ ଭାଁ କିଛି ଲୋକ ଆମିଷ କିଣୁଥିବା ଦେଖିବାକୁ ମିଳୁଛି । ତେବେ ଆସନ୍ତାକାଲି ଶୁକ୍ରବାର ଥିବାରୁ ଛାଡଖାଇ ଜମିବ ବୋଲି ଆଶା କରାଯାଉଛି।ଆସନ୍ତାକାଲି ସକାଳୁ ବିଭିନ୍ନ ଆମିଷ ଦୋକାନରେ ଗହଳି ଲାଗିରହିବ। ବିଶେଷକରି ମଟନ କାଉଣ୍ଟରରେ ଖାଉଟି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବେ ବୋଲି ଆଶଙ୍କା କରାଯାଉଛି।
ଅଧିକ ପଢନ୍ତୁ: ରାଜ୍ୟକୁ ଛୁଇଁଛି ପହିଲି ଶୀତ; ଆଗକୁ ବଢିବ ଶୀତ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା