ଭୁବନେଶ୍ୱର : ଆଜିଠୁ ଜନତା ମଇଦାନରେ ଆରମ୍ଭ ହେବ ରୋଡ୍ କଂଗ୍ରେସର ମହାକୁମ୍ଭ। ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜନ କରିଛି । ଏହି ମହାକୁମ୍ଭଙ୍କୁ ଉଦଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଓ ମୁଖ୍ଯମନ୍ତ୍ରୀ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ। ନଭେମ୍ବର ୬ରୁ ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ ।
ପାଞ୍ଚ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆଜି ବୈଷୟିକ ପ୍ରଦର୍ଶନୀ, ୭ରେ ରୋଡ୍ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ,୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍ଯାପନୀ ଉତ୍ସବ । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା । ସଡକ ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ନୀତି ଓ ନକ୍ସା ପ୍ରସ୍ତୁତ କରିବେ ।
ସେହିପରି ଏହି ମହାକୁମ୍ଭରେ ମହିଳାଙ୍କ ଦ୍ବାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଆକର୍ଷଣ ପାଲଟିବ । ଗୀତ ଗୋବିନ୍ଦ ପରିବେଷଣ, ଲାଇଭସ୍ୟାଣ୍ଡ ଆନିମେସନ, ଧୁଡୁକି ନୃତ୍ୟ ପରିବେଷଣ, ଫ୍ୟାସନସୋ', ରାମ୍ପ ସୋ', ମ୍ୟୁଜିକାଲ ସେସନରେ ମହିଳା ଭାଗ ନେବେ । ଉଦଘାଟନୀ ହଲ ସହ କଳାକାରଙ୍କ ଗ୍ରିନରୁମ ଭିଭିଆଇପି ଲାଉଞ୍ଜ, ପ୍ରଦର୍ଶନୀ ହଲ ରହିଛି । ଦୁଇଟି ବୈଷୟକ ଅଧିବେଶନ ହଲ, ଭିଆଇପି ସମେତ ଅନ୍ୟ ଅତିଥିଙ୍କ ପାଇଁ ଭିନ୍ନ ଭିନ୍ନ ଡାଇନିଂ ଏରିଆ, ମେଡିକାଲ, କାଉନସେଲିଂ ମିଟିଂ ହଲ, ମିଡିଆ ଲାଉଞ୍ଜ, ପଞ୍ଜୀକରଣ ପାଇଁ ବିଭିନ୍ନ ବିଭାଗରେ ବିଭକ୍ତ ହୋଇଛି । ପୋଲିସ, ଅଗ୍ନିଶମ ଷ୍ଟଲ, ସିସିଟିଭି ସର୍ଭେଲାନ୍ସ ରୁମ ହୋଇଛି ।