ଭୁବନେଶ୍ୱର: ରାଜ୍ୟକୁ ଛୁଇଁଛି ପହିଲି ଶୀତ । ଆସନ୍ତା ଦୁଇ ଦିନ ହେବ ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । ଗତ ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ପାଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମିଛି । ଏହାସହ ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା କମିଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଫୁଲବାଣୀ ୧୨.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ୪ ଡିଗ୍ରୀ କମିପାରେ । ଏନେଇ ପୂର୍ବାମୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
ଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହାସହ ଫୁଲବାଣୀର ଜି.ଉଦୟଗିରି ଠାରେ ରାତିର ତାପମାତ୍ରା ୧୨.୫ ରେକର୍ଡ କରାଯାଇଛି । ତେବେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହିତ ହେଉଛି । ଫଳରେ ଆଗକୁ ଆହୁରି ଥଣ୍ଡା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।