ଜଗତସିଂହପୁର: ଓଡ଼ିଶାର ସୁନାମଧନ୍ୟ ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି । ଡିଜେର ବିକଟାଳ ଶବ୍ଦରେ ଦେବୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।
ଦେବୀ ରଥଙ୍କ ପୁଅଙ୍କ କହିବାନୁଯାୟୀ, ଦେବୀ ରଥ ରାତିରେ ଖାଇ ପିଇ ସାରି ଶୋଇଥିଲେ । ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । କିନ୍ତୁ ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା । ଏକା ସଙ୍ଗେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ପ୍ରତିଯୋଗିତା କରୁଥିଲେ । ପୁରା କମ୍ପି ଉଠୁଥିଲା । ଫଳରେ ଦେବୀ ରଥଙ୍କ ହୃଦଘାତ ହୋଇଥିଲା । ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ କିପରି ସହ୍ୟ କରିଥାଆନ୍ତେ ବୋଲି ସେ କହିଛନ୍ତି ।
ସେପଟେ ସଂଘର ସଭାପତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି । ମାତ୍ର ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ୱନ୍ଦିତା ହୋଇଥିଲା । ଡିଜେ ଉପରେ ଅଙ୍କୁଶ ଥିବାବେଳେ ବାଜାକୁ ନେଇ କୌଣସି କଟକଣା ନାହିଁ । କିନ୍ତୁ ଏକ ଅମୂଲ୍ୟ ଜୀବନ ଚାଲିଯାଇଥିବାରୁ ଦୁଃଖିତ । କେନ୍ଦ୍ରାପଡ଼ାରୁ ବାଜା ଦଳ ଆସିଥିଲା । ତେଣୁ ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ସଂଘ ସଭାପତି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି ।
ପ୍ରକାଶ ଯୋଗ୍ୟ, ଆଜି ଭୋର ୪ ଟା ୩୦ମିନିଟରେ ଦେବୀ ରଥଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ପ୍ରାୟ ୫ ଦଶନ୍ଧି ଧରି ସେ ଯାତ୍ରା ଦୁନିଆ ସହିତ ଜଡ଼ିତ ଥିଲେ । ନିଖୁଣ ଅଭିନୟ ପାଇଁ ପ୍ରତ୍ୟେକ ଯାତ୍ରା ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ । ସେ ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରିଥିଲେ । ତାରାପୁର, ବାଣେଶ୍ୱରୀ, ତୁଳସୀ, ପାର୍ବତୀ ଗଣନାଟ୍ୟ ଭଳି ଅନେକ ବଡ଼ ବଡ଼ ଅପେରାରେ କାମ କରିଛନ୍ତି । ଶେଷଥର ପାଇଁ ସେ ପାର୍ବତୀ ଗଣନାଟ୍ୟରେ ଶେଷ କରିଥିଲେ। ତାଙ୍କର ଶେଷ ଅଭିନୀତ ଯାତ୍ରା ଥିଲା 'ଠକିଦେଲ ବନ୍ଧୁ ଠିକଣା ବେଳେ' । ଖାଲି ସେତିକି ଅଭିନୟ ସହିତ ଯାତ୍ରାରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।