ଭୁବନେଶ୍ୱର: ଯେବେଠାରୁ ରାଜ୍ୟରେ ମୋହନ ସରକାର ଆସିଛନ୍ତି ସେବେଠାରୁ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ସରକାର ଆସିବାର ମାସକ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ କେନ୍ଦ୍ର ସରକାର ନିଆଯାଇଥିବା ନିଷ୍ପତ୍ତି ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୧୦ ରେ କେନ୍ଦ୍ର ସରକାର ଧାନର ଏମଏସପି ବୃଦ୍ଧି ପାଇଁ ୬୯ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା । ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ଲାଗୁ କରିବାକୁ ଯାଉଛନ୍ତି । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଏବେ ୩୧୬୯ ଟଙ୍କା ଦେବେ ରାଜ୍ୟ ସରକାର । ଗ୍ରେଡ୍-ଏ ଧାନ କ୍ୱାଣ୍ଟାଲ୍ ପିଛା ୩୧୮୯ ଟଙ୍କା ମିଳିବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରାଯାଇଥିଲା । ଧାନର ଏମଏସପି ଉପରେ ୮୦୦ ଟଙ୍କାର ବୋନସ ପ୍ରଦାନ କରାଯାଇଥିଲା । ଫଳରେ ଚାଷୀଙ୍କୁ କ୍ୱିଣ୍ଟାଲ୍ ପିଛା ୩୧ଶହ ଟଙ୍କା ମିଳୁଥିଲା । ଏହା ପରେ ପୁଣି ଥରେ କେନ୍ଦ୍ର ସରକାର ୬୯ଟଙ୍କା କ୍ୱିଣ୍ଟାଲ୍ ପିଛା ବର୍ଦ୍ଧିତ କରିଛନ୍ତି । ତେଣୁ କେନ୍ଦ୍ରର ୨୩୬୯ ଟଙ୍କା ଏବଂ ରାଜ୍ୟର ୮୦୦ ଟଙ୍କା ସବସିଡିକୁ ମିଶାଇ ମୋଟ ୩୧୬୯ ଟଙ୍କା ପ୍ରଦାନ କରାଯିବ ।