ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଦୁଇ ହତ୍ୟାକାରୀ ସାର୍ପ ସୁଟର୍ କୁରୁପତି ଭୂୟାଁ ଏବଂ ବାଇକ ଚାଳକ ଚିଣ୍ଟକୁ ବୈକୁଣ୍ଠନଗରର ହତ୍ୟାକାଣ୍ଡ ସ୍ଥଳକୁ ନେଇଛି ପୋଲିସ । ସେଦିନ କିପରି ଆସିଥିଲେ ଏବଂ କିପରି ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ତାହାର ନକଲ କରି ଦେଖାଇଛନ୍ତି ଦୁଇ ଅଭିଯୁକ୍ତ ।
ସେପଟେ ପୀତବାସ ପଣ୍ଡାଙ୍କ ସାନ ଭାଇ ମଧ୍ୟ ଆଜି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଘଟଣା ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏ ଦୁଇ ଜଣ କେବଳ ମୋହରା ଥିଲେ । ସେମାନେ ପୀତବାସଙ୍କୁ ଚିହ୍ନି ନ ଥିଲେ, କେବଳ କେତେଟା ପଇସା ପାଇଁ ସେମାନେ ହତ୍ୟା କରିଛନ୍ତି । କିନ୍ତୁ ଏହା ପଛରେ ଅସଲି ଚେହେରା ଅଛନ୍ତି । ସେମାନେ ରାଜନେତା ଅଟନ୍ତି, ବ୍ରହ୍ମପୁର ବାସିନ୍ଦା ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ । ସେ ଆହୁରି କହିଛନ୍ତି ତାଙ୍କ ପୁତୁରା ଅର୍ଥାତ ପୀତବାସଙ୍କ ପୁଅକୁ ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ଧମକ କଲ୍ ଆସିଥିଲା । ପୀତବାସଙ୍କୁ ହତ୍ୟା କରିବାକୁ ଧମକ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ ।
ଅଭିଯୁକ୍ତ ଉମା ବିଷୋୟୀ ନିଜ ଘର ବନ୍ତପଲ୍ଲୀ ଗ୍ରାମର ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ପୀତବାସଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ । ଚିଣ୍ଟୁ ବେଙ୍ଗାଲୁରୁରେ ରହୁଥିଲା । ସେ ବେଙ୍ଗାଲୁରୁ ବ୍ରହ୍ମପୁର ଆସିବା ପରେ ଅଳକାପୁରୀରେ ଏକ ନିର୍ମାଣଧୀନ ଘରେ ରହିଥିଲେ । ଗାଡ଼ି ଚଲାଇଥିବା ଚିଣ୍ଟୁକୁ ୩ ଲକ୍ଷ ଏବଂ ଗୁଳି ଚଳାଇଥିବା କୁରୁପତିକୁ ୫ ଲକ୍ଷ ଦେବାକୁ ଡିଲ୍ ହୋଇଥିଲା । ଉଭୟ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ବୈକୁଣ୍ଠନଗର ଅଞ୍ଚଳରେ ପଏଣ୍ଟ ବ୍ଲାଙ୍କରୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ । ପୀତବାସଙ୍କ ଘରଠାରୁ ମାତ୍ର ୫୦ ମିଟର୍ ଦୂରରେ ହତ୍ୟା କରାଯାଇଥିଲା । ମୋଟ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ।
ଏହି ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଏବଂ ବିଜେଡ଼ି କର୍ପୋରେଟର୍ ମଳୟ ବିଷୋୟୀଙ୍କ ସମେତ ପ୍ରାୟ ୧୫ ଜଣ ଗିରଫ ହୋଇସାରିଛନ୍ତି ।