ପୁରୀ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଆଜି ରାଜାଧିରାଜ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶୀଜିଉ। ଦ୍ବାର ଫିଟିବା ପରେ ମଙ୍ଗଳଆଳତି, ମଇଲମ, ଅବକାଶ ଆଦି ନୀତି କରାଯାଇ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ କରାଯାଇଛି । ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ସାଆନ୍ତେଙ୍କ ଦୁର୍ଲଭ ଦର୍ଶନ କରି ଧନ୍ଯ ହେଉଛନ୍ତି ଭକ୍ତ । ରାଜରାଜେଶ୍ୱର ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳିବା ସହ ଐଶ୍ବର୍ଯ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।
ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହର ୪୫ ପ୍ଲାଟୁନ୍ ଫୋର୍ସ ସହ ପୁରୀ ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବସ୍ଥା କରାଯାଉଛି। ସବୁ ପାର୍କିଂରେ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ସମୁଦ୍ର କୂଳରେ ଦିଗବାରେଣି ଛକରୁ ଯାତ୍ରିକା ପାର୍କିଂ ଯାଏ ଓ ବଡଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ଯାଇ ନୋ ଭେଇକିଲ ଜୋନ କରାଯାଇଛି। ତେବେ ଭକ୍ତ ମାନେ କେବଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ।