ପାରାଦୀପ : ଐତିହାସିକ ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦ୍ଘାଟିତ କଲେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସାଂସଦ ବିଭୂ ତରାଇ, ବିଧାୟକ ରମାକାନ୍ତ ଭୋଇ ଉପସ୍ଥିତ ରହିଥିଲେ।
କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା କରିଛନ୍ତି। ମଙ୍ଗଳା ନଦୀରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ହେବ। ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବାକୁ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ହେବ। ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟିର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ କେବଳ ଜଳ ଓ ସ୍ଥଳପଥ ନୁହେଁ ଆକାଶପଥ ସହ ବି ଯୋଡ଼ିହେବ । ମୁମ୍ବାଇ ପଶ୍ଚିମ ଭାରତର ପ୍ରବେଶ ଦ୍ବାର ହେଲେ ପାରାଦୀପ ପୂର୍ବ ଭାରତର ପ୍ରବେଶ ଦ୍ବାର ହେବ।
ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇ କହିଛନ୍ତି ଗତ ବାଲିଯାତ୍ରାରେ କହିଥିଲି ପାରାଦୀପରେ ୧ ଲକ୍ଷ କୋଟି ନିବେଶ ହେବ। ଏଯାଏଁ ପାରାଦୀପରେ ୧ ଲକ୍ଷ ୪୫ ହଜାର କୋଟିର ନିବେଶ କରିଛୁ। ଆଗକୁ ପାରାଦୀପରେ ଆହୁରି ୧ ଲକ୍ଷ କୋଟି ନିବେଶ ହେବ। ପେଟ୍ରୋକେମିକାଲ୍ସରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିଜନ ୨୦୩୬ ପୂରଣ ପାଇଁ ଆମ ସରକାର ମିଶନ ମୋଡ୍ରେ କାମ କରୁଛି ବୋଲି ମଧ୍ଯ କହିଛନ୍ତି।
ଏହି ଅବସରରେ ପାରାଦୀପ ବିଧାୟକ ତଥା ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ବିଧାୟକ ତିର୍ତ୍ତୋଲ ରମାକାନ୍ତ ଭୋଇ, ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଓ ଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ମଞ୍ଚାସିନ ରହି ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।