କଟକ : ଆଜିଠାରୁ ଆରମ୍ଭ ଐତିହାସିକ କଟକର ବାଲିଯାତ୍ରା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେଉଛି ବାଲିଯାତ୍ରା। ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି। ଏପରିକି ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହୋଇଥିବା ନେଇ କମିସନର ସୂଚନା ଦେଇଛନ୍ତି।
ଚଳିତବର୍ଷ ନିଆରା ଥିମ ଏବଂ ସାଜସଜ୍ଜା ଦର୍ଶକଙ୍କୁ ଆକର୍ଷିତ କରିବ। ଏହାସହିତ ବାଲିଯାତ୍ରାରେ ଚଳିତବର୍ଷ ରେକର୍ଡ କରିବା ପାଇଁ ଏଥର ୩ଟି ନୂଆ ପଦକ୍ଷେପ ନେଇଛି ପ୍ରଶାସନ। ଶାଳପତ୍ରରେ ୧୦ହଜାର ଗ୍ରିନ୍ ବୋଟ୍ ତିଆରି କରାଯିବ। ‘କଟକ ଇନ୍ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ। ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ କରିବା ପାଇଁ ଷ୍ଟିକିଂ ନୋଟ୍ସ ବୋର୍ଡରେ ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି। ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଯାଉଛି।
ଅଧିକ ପଢନ୍ତୁ : ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା; ୮ ଦିନ ଧରି ଚାଲିବ ମୁକ୍ତାକାଶ ବାଣିଜ୍ୟ ମେଳା, ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି