ପାରାଦୀପ: ଯାତ୍ରା ଜଗତରୁ ଏକ ଦୁଃଖଦ ଖବର ଆସିଛି । ଓଡ଼ିଶାର ସୁନାମ ଧନ୍ୟ ଯାତ୍ରା କଳାକାର ତଥା ଦିଗ୍ଗଜ ଅଭିନେତା ଦେବୀ ରଥଙ୍କର ପରଲୋକ ଘଟିଛି । ଜଗତସିଂହପୁର ସ୍ଥିତ ପାରାଦ୍ୱୀପଗଡ଼ରେ ତାଙ୍କ ବାସଭବନରେ ଆଜି ଭୋର ୪ ଟା ୩୦ମିନି ରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଦେବୀ ରଥ ଜଣେ ଜଣେ ଉଚ୍ଚକୋଟୀର ଯାତ୍ରା କଳାକାର । ପ୍ରାୟ ୫ ଦଶନ୍ଧି ଧରି ସେ ଯାତ୍ରା ଦୁନିଆ ସହିତ ଜଡ଼ିତ ଥିଲେ । ନିଖୁଣ ଅଭିନୟ ପାଇଁ ପ୍ରତ୍ୟେକ ଯାତ୍ରା ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ । ସେ ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରିଥିଲେ । ତାରାପୁର, ବାଣେଶ୍ୱରୀ, ତୁଳସୀ, ପାର୍ବତୀ ଗଣନାଟ୍ୟ ଭଳି ଅନେକ ବଡ଼ ବଡ଼ ଅପେରାରେ କାମ କରିଛନ୍ତି । ପଣତକାନି, ଜେଲ ଟାଇଗର, ଲାଲୁଲକା, ଡ଼ିମିରି ଫୁଲ, ବାଟ ଛାଡ଼ ଷଣ୍ଡ ଆସୁଛି, ଅକୁହା କଥା, କେମିତି ଏ ବନ୍ଧନ, ଚାର୍ ଶୋ ବିସ୍, ଗରୀବ କାନ୍ଦେ କାହିଁକି, ମହାଦେବ ବେଢ଼ା ବଉଦ ବେଦୀ, ପାଇକ ପୁଅ ଦଳବେହେରା, ପ୍ରେମ ସମାଧିରେ ବିବାହ ବେଦୀ, ମୁଣ୍ଡରେ ଥୋଇଛି ପାଦର ଜୋତା, ଅଜବ କାହାଣୀ, ତୁଳସୀ, ବଳାତ୍କାର, ମଶାଣୀ ଫୁଲ, ଛତା ଚିହ୍ନରେ ଭୋଟ ଦିଅ ଆଦି ଦୁଇ ଶହରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ୨୦୧୭ ଶେଷଥର ପାଇଁ ସେ ପାର୍ବତୀ ଗଣନାଟ୍ୟରେ ଶେଷ କରିଥିଲେ। ତାଙ୍କର ଶେଷ ଅଭିନୀତ ଯାତ୍ରା ଥିଲା 'ଠକିଦେଲ ବନ୍ଧୁ ଠିକଣା ବେଳେ' । ଖାଲି ସେତିକି ଅଭିନୟ ସହିତ ଯାତ୍ରାରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।
ଦେବୀ ରଥଙ୍କ ଦେହାନ୍ତରେ ସାରା ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ କଳାକାର ସାମାଜିକ ଗଣମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି ।