ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ସେତିକି ରଣନୀତିକୁ ଶାଣିତ କରୁଛନ୍ତି । କୌଣସି ଦଳ ଗୋଟିଏ ବି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାଁନ୍ତି । ନୂଆପଡ଼ା ମତାଦାତାଙ୍କୁ ନିଜ ସପକ୍ଷରେ ଆଣିବାକୁ କଂଗ୍ରେସ ପକ୍ଷରୁ ଗୁରୁବାର ଘୋଷଣା ପତ୍ର ଜାରି କରାଯାଇଛି । ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଛନ୍ତି ।
ନୂଆପଡ଼ାସ୍ଥିତ ଖୁଣ୍ଟିଆ ଭବନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି । ସଂକଳ୍ପ ପତ୍ରରେ କଂଗ୍ରେସ ଅମଳରେ କଣ ବିକାଶ କରାଯାଇଛି ଏବଂ ଆଗକୁ କଣ ବିକାଶ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ପଟ୍ଟା ପ୍ରଦାନ ଓ ଶୀତଳ ଭଣ୍ଡାର ଆଦି ପ୍ରସଙ୍ଗକୁ ଢାଲ କରିଛି ଦଳ । କଂଗ୍ରେସ ଜିତିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛି । ସେହିପରି କଂଗ୍ରେସ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବ ବୋଲି ଇସ୍ତିହାରରେ ଉଲ୍ଲେଖ କରିଛି । ଏହା ସହିତ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ମଧ୍ୟ କରାଯିବ । ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଖାଲି ଥିବା ଶିକ୍ଷକ ଏବଂ ମେଡ଼ିକାଲରେ ଡାକ୍ତର ପଦବୀ ପୂରଣ ପାଇଁ କଂଗ୍ରେସ ଇସ୍ତାହାର ଜାରି କରିଛି ।
କଂଗ୍ରେସର ଇସ୍ତହାର
-
ଜୀବନ ଦୁଃଖରୁ ମୁକ୍ତି ଦେବୁ । କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, କୃଷିର ଉନ୍ନତୀକରଣ, ଲଘୁଉଦ୍ୟୋଗ ପ୍ରତିଷ୍ଠାନ ଓ ଏନ୍.ଆର୍.ଜି.ଏସ୍. କୁ କ୍ରିୟାଶୀଳ କରି ଦାଦନ ପ୍ରଥାକୁ ରୋକିବୁ । ନୂଆପଡ଼ାର ଯୁବକ ଯୁବତୀମାନଙ୍କୁ ତାଙ୍କ ମାଟିରେ ରୋଜଗାର ପନ୍ଥା ଦେବୁ ।
-
ଶୀତଳଭଣ୍ଡାର ନିର୍ମାଣ, ଗୋଦାମଘର ପ୍ରତିଷ୍ଠା ମାଧ୍ୟମରେ ଚାଷୀଙ୍କ ଉତ୍ପାଦିତ ଜିନିଷର ସଂରକ୍ଷଣ କରାଯିବ ।
-
ପତୋରା ଡ୍ୟାମ ଓ ତିଖାଲି ପ୍ରକଳ୍ପର ଉନ୍ନତୀକରଣ ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୬୦ ଭାଗ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ।
-
ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀମାନଙ୍କୁ ଜମି ଅଧିକାର ଦେବା ଓ ଭୂମିହୀନ ଲୋକଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନା ମାଧ୍ୟମରେ ଘରଡିହ ପଟ୍ଟା ଦେବା ।
-
ସବୁ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ସହିତ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକମାନର ଶିକ୍ଷା ଦେବା ।
-
ପ୍ରତି ପିଏନ୍ସି ଓ ସିଏଡ୍ସି ଗୁଡିକରେ ଡାକ୍ତର ନିଯୁକ୍ତି ସହିତ ଗୁଣାତ୍ମକ ସ୍ଵାସ୍ଥ୍ୟବ୍ୟବସ୍ଥା ଯୋଗାଇବାର ପ୍ରୟାସ କରିବା ।
-
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକ ଦ୍ୱାରା ଅଣୁସ୍ତରରେ ଉଦ୍ୟୋଗ ପ୍ରତିଷ୍ଠା କରି ସେମାନଙ୍କୁ ସ୍ୱାବଲମ୍ବନ କରିବା ।
ସଂକଳ୍ପ ପତ୍ର ଉନ୍ମୋଚନ ସମୟରେ ଦଳର ବହୁ ବରିଷ୍ଠ ନେତା ସାମିଲ ଥିଲେ । ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ମଣ୍ଡଳୀରେ ଯାହା ସମସ୍ୟା ଥିବା ଦଳ ତାହାର ସମାଧାନ କରିବ ବୋଲି ଦଳୀୟ ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟର ଶାସକ ତଥା ଏବେର ମୁଖ୍ୟ ବିରୋଧୀ ଦଳ ଦ୍ୱାରା ନୂଆପଡ଼ା ଜିଲ୍ଲାକୁ ସବୁବେଳେ ଉପେକ୍ଷା କରାଯାଇଛି । ଲୋକଙ୍କ ସାଧାରଣ ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ନାହିଁ । ଏହି ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ କଂଗ୍ରେସ ପ୍ରତିବଦ୍ଧ । ପ୍ରତାରଣାରୁ ମୁକ୍ତି ପାଇବା ସହ ବିକାଶ ଓ ନ୍ୟାୟ ପଥରେ ଆଗେଇବା ପାଇଁ ଆମ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ କଂଗ୍ରେସ କହିଛି ।