ଭୁବନେଶ୍ୱର: ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ ଓ ଅମିନ ପରୀକ୍ଷା ଅନୁଷ୍ଠିତ ହେଉଛି । କିନ୍ତୁ ପରୀକ୍ଷା ପୂର୍ବରୁ ବଡ଼ ବିଭ୍ରାଟ ସୃଷ୍ଟି ହୋଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଛନ୍ତି ।
ଆଜି ଆରଆଇ ଓ ଅମିନ ପାଇଁ ଅନଲାଇନ୍ ପରୀକ୍ଷା ଥିଲା । ସକାଳ ୮ଟାରେ ପ୍ରଥମ ସିଟିଂ ପରୀକ୍ଷା ହୋଇଥାଆନ୍ତା । କିନ୍ତୁ ସକାଳୁ ସକାଳୁ ବଡ଼ ବିଭ୍ରାଟ ହୋଇଥିଲା । ପରୀକ୍ଷାର୍ଥୀମାନେ ୭ ଟା ୩୦ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାର ଥିଲା । ମାତ୍ର ସର୍ଭର ଡାଉନ୍ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଅର୍ଥାତ୍ ୮ଟା ୪୫ ବେଳକୁ କେନ୍ଦ୍ର ଭିତରକୁ ଯାଇଥିଲେ । ଭୁବନେଶ୍ଵର ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ, ପୁରୀର କାକଟପୁର, ବ୍ରହ୍ମପୁର ଆଦି ସ୍ଥାନ ମାନଙ୍କରେ ଏଭଳି ସମସ୍ୟା ଉତ୍ପନ୍ନ ହୋଇଥିବା ଦେଖାଯାଇଛି । ରାଜ୍ୟରେ ପ୍ରାୟ ଅଧିକାଂଶ ପରୀକ୍ଷା କେନ୍ଦ୍ରରେ ସର୍ଭର୍ ଡାଉନ୍ ଥିବା ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପୂର୍ବରୁ ଆରଆଇ ଓ ଅମିନ ପରୀକ୍ଷାରେ ମଧ୍ୟ ବିଭ୍ରାଟ ଦେଖାଦେଇଥିଲା । ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ପରୀକ୍ଷା କରିବାକୁ ଅନିୟମିତତାର ଅଭିଯୋଗ ଆସିଥିଲା । ଏହା ପରେ ପୁଣି ଥରେ ପରୀକ୍ଷା ପାଇଁ ବିଜ୍ଞପ୍ତି ବାହାରିଥିଲା । ସେଥିପାଇଁ ଟିସିଏସ୍ କୁ ଦାୟିତ୍ୱ ଦିଆଯାଇଥିଲା ।