ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଜାତୀୟ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କର ତିନି ଦିନିଆ ଗସ୍ତ କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୯, ୩୦ ଏବଂ ଡିସେମ୍ବର ୧ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ରହିବେ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ଓଡ଼ିଶା ଆସିବେ । ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜିପି ସମ୍ମିଳନୀ ହେବ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଯେଉଁଭଳି ଗୁରୁତ୍ୱ ଦେଉଛନ୍ତି ସେଥିପାଇଁ ଆଇନ ମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ୱର ଲୋକସେବା ଭବନରେ ତିନି ଦିନ ବ୍ୟାପୀ ହେବାକୁ ଥିବା ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ଓ ସୁରକ୍ଷା ଅଧିକାରୀମାନେ ଯୋଗ ଦେବେ । ସିଆରପିଏଫ୍, ବିଏସଏଫ୍, ଗୁଇନ୍ଦା ବିଭାଗ ଆଦିର ପ୍ରାୟ ୯୦ ଜଣ ଅଧିକାରୀମାନେ ଏଥିରେ ସାମିଲ ହେବେ । ଏଥିରେ ୧୨ଟି ସେସନ୍ ରହିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ଦେଶର ସୁରକ୍ଷା ଉପରେ ଆଲୋଚନା କରାଯିବ ।