ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବୋଲର ଭୁବନେଶ୍ୱର କୁମାର ଆଇପିଏଲ୍ ମେଗା ନିଲାମରେ ଚମକିଛନ୍ତି। ନିଜ ବୋଲିଂ ବଳରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ଚାମ୍ପିଅନ କରାଇଥିବା ଏହି ବୋଲରଙ୍କ ଠିକଣା ବଦଳିଛି। ମେଗା ନିଲାମରେ ଭୁବନେଶ୍ୱର କୁମାରଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଭୁବିଙ୍କୁ କିଣିବା ପାଇଁ ପର୍ସ ଖୋଲି ଦେଇଛି ଆରସିବି । ମୁମ୍ୱାଇ ଏବଂ ଲକ୍ଷ୍ନୌର ଛକାପଞ୍ଝା ମଧ୍ୟରେ ବାଜି ମାରିଛି ବେଙ୍ଗାଲୁରୁ । ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ୱର କୁମାରଙ୍କୁ ନିଜ ଟିମରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆଉ ଭୁବନେଶ୍ଵର ଏବେ ହାଇଦ୍ରାବାଦରୁ ବେଙ୍ଗାଲୁରୁର ହୋଇଛନ୍ତି।
ଭୁବନେଶ୍ୱର କୁମାର ସନ୍ ରାଇଜର୍ସ ହାଇଦ୍ରାବାଦକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ସାରିଛନ୍ତି। ସେ ଆଇପିଏଲରେ ଦୁଇ ଥର ପର୍ଲଲ କ୍ୟାପ୍ ଜିତିସାରିଛନ୍ତି । ୧୭୬ ମ୍ୟାଚ୍ରେ ୧୮୧ ୱିକେଟ୍ ଓ୍ଵିକେଟ୍ ନେଇଥିବା ଭୁବନେଶ୍ଵର କୁମାର ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ବୋଲରଙ୍କ ମଧ୍ୟରେ ସାମିଲ । ।୧୯ ରନରେ ୫ ୱିକେଟ୍ ଭୁବିଙ୍କ ଆଇପିଏଲରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
୨୦୦୯ରେ ଆରସିବି ପାଇଁ ଆଇପିଏଲ୍ରେ ଡେବ୍ୟୁ କରିଥିଲେ ଏହି ସୁଇଙ୍ଗ ବୋଲର। ଦୁଇଟି ସଂସ୍କରଣ ଆରସିବି ସହ ଖେଳିବା ପରେ ପୁଣେ ଓ୍ବାରିୟର୍ସରେ ସାମିଲ ହୋଇଥିଲେ । ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିଲେ ଭୁବି। ଆଉ ଏହି ଦଳ ସହ ଖେଳି ଆଇପିଏଲ୍ରେ ନିଜର ଆଧିପତ୍ୟ ଜାହିର କରିଥିଲେ। କ୍ରମାଗତ ୪ଟି ସିଜିନ୍ରେ ଭୁବନେଶ୍ବର କୁମାର ୧୮ରୁ ଅଧିକ ଓ୍ବିକେଟ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୨୦୧୬ ଏବଂ ୨୦୧୭ରେ କ୍ରମାଗତ ଦୁଇଟି ସଂସ୍କରଣରେ ସେ ପର୍ପଲ କ୍ୟାପ୍ ଜିତିଥିଲେ।
କିନ୍ତୁ ହାଇଦ୍ରାବାଦ ମେଗା ଅକ୍ସନ ପୂର୍ବରୁ ଏହି ତାରକା ବୋଲରଙ୍କୁ ରିଲିଜ୍ କରିଥିଲା । ଏହା ପରେ ମେଗା ନିଲାମ ପାଇଁ ଭୁବନେଶ୍ଵର କୁମାର ନିଜର ନାଁ ପଞ୍ଜିକରଣ କରିଥିଲେ। ଆଉ ଅକ୍ସନର ଦ୍ଵିତୀୟ ଦିନରେ ଏହି ବୋଲର ଚମକିଛନ୍ତି। ଦ୍ଵିତୀୟ ଦିନରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ଉଲ୍ଲେଖନୀୟ ପ୍ରଥମ ଦିନରେ ୮୪ ଖେଳାଳି ନିଲାମରେ ସାମିଲ ହୋଇଥିଲେ ହେଁ ୭୨ ଜଣଙ୍କ ଭାଗ୍ୟ ଚମକିଥିଲା । ଆଜି ହେଉଛି ନିଲାମର ଶେଷ ଦିନ।