ବରଗଡ: ଏଥର ବରଗଡ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ । ଧନୁଯାତ୍ରାରେ ହୃଷିକେଶ ଭୋଇଙ୍କ ବଦଳରେ ନୂଆ କଂସଙ୍କୁ ଚଳିତ ବର୍ଷରେ ଦେଖିବାକୁ ମିଳିବ । ୨୦୨୨ରୁ ନିରବଚ୍ଛିନ୍ନ ଭାବରେ ବରଗଡ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଆସୁଥିଲେ ହୃଷିକେଶ ଭୋଇ । କିନ୍ତୁ ନିକଟରେ ମହାପ୍ରଣାୟ ଗାଡି ଚଳାଉଥିବା ବେଳେ ଲାଞ୍ଚ ନେଇ ଧରା ପଡିବା ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଏହା ସହିତ ତାଙ୍କୁ ଏବେ କଂସ ଭୂମିକାରୁ ବାଦ୍ ଦେଇଛନ୍ତି ବରଗଡ ଜିଲ୍ଲା ପ୍ରଶାସନ ।
ଆଜି ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ନୂଆ କଂସ ଭୂମିକାରେ ଅଭିନୟ ପାଇଁ ଖୁବ ଶୀଘ୍ର କଳାକାର ଚୟନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି । ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ତାଲିକାରେ ଥିବା ଜଣେ କଳାକାରଙ୍କୁ କଂସ ଭୂମିକା ପାଇଁ ଚୟନ କରାଯିବ । ଫଳରେ ଏବେ ଦୁଇରୁ ପାଞ୍ଚ ନମ୍ବରରେ ଥିବା କଳାକାରଙ୍କୁ ଡକରା ଯିବ ।
ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି, ନୂଆ କଂସ ଚୟନ ପାଇଁ ଖୁବ୍ ଶୀଘ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତା ସହିତ ଅନେକ ସମ୍ମାନନୀୟ ବ୍ୟକ୍ତିମାନେ ପ୍ରସ୍ତାବ ଦେଇଛନ୍ତି । ଗତ ବର୍ଷ ଯେଉଁ ଚୟନ କମିଟି ଥିଲେ ସେମାନେ ଗତ ଥର ଦୁଇରୁ ପାଞ୍ଚ ନମ୍ବରରେ ଥିବା ଜଣେ କଳାକାରଙ୍କୁ କଂସ ପାଇଁ ଚୟନ କରିବେ । ଆଉ ଯିଏ ବି ଚୟନ ହେବେ ସେ କେବଳ ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିୟନ କରିବେ ।