ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ଲହରି ଆରମ୍ଭ ହୋଇଯାଇଥିବାବେଳେ ସେପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ସୃଷ୍ଟ ଘୂର୍ଣ୍ଣ ବଳୟ ୨୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ । ଏହା ଧିରେ ଧିରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଫଳରେ ତାମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଘୂର୍ଣ୍ଣବଳୟ ବାତ୍ୟାର ରୂପ ନେବ କି ନାହିଁ ଲଘୁଚାପ ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଓଡ଼ିଶା ଉପରେ ଏହାର ସିଧା ସଳଖ ପ୍ରଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମାତ୍ର ଆସନ୍ତା ୨୭ ଏବଂ ୨୮ ତାରିଖ ବେଳକୁ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।