ନୂଆଦିଲ୍ଲୀ: ଜାତିଗତ ହିଂସାରେ ଜଳୁଥିବା ମଣିପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ମଣିପୁରକୁ ୧୦ ହଜାରରୁ ଅଧିକ ଅତିରିକ୍ତ ଯବାନ ପଠାଉଛନ୍ତି । ଏହି ପଦକ୍ଷେପ ପରେ ରାଜ୍ୟରେ କେନ୍ଦ୍ରୀୟ ବଳର ମୋଟ୍ ମୁତୟନ ଯବାନଙ୍କ ସଂଖ୍ୟା ୨୮୮ କମ୍ପାନି ପର୍ଯ୍ୟନ୍ତ ପହଞ୍ଚିଛି । ମଣିପୁରର ମୁଖ୍ୟ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ୯୦ କମ୍ପାନି ଅର୍ଥାତ ୧୦ ହଜାର ୮୦୦ ଯବାନ ରାଜ୍ୟରେ ମୁତୟନ କରାଯାଇଛି । ଏଥିରୁ ଅଧିକାଂଶ ଇମ୍ଫାଲ ପହଞ୍ଚି ସାରିଛନ୍ତି । ସେ କହିଛନ୍ତି, ଆମେ ଏତେ ସଂଖ୍ୟାରେ ଯବାନଙ୍କୁ ନାଗରିକଙ୍କ ଜୀବନ ଓ ସଂପତ୍ତିର ରକ୍ଷା କରିବା ଓ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରିଛୁ । ଆଉ ସବୁ କ୍ଷେତ୍ରରେ କିଛି ଦିନ ଭିତରେ ଯବାନ ମୁତୟନ କରିଦେବୁ ।
କୁଲଦୀପ ସିଂ କହିଛନ୍ତି, ରାଜ୍ୟରେ ସୁରକ୍ଷା ପ୍ରବନ୍ଧକକୁ ଆହୁରି କଡାକଡି କରାଯିବ । ପ୍ରତି ଜିଲ୍ଲାରେ ନୂତନ ସମନ୍ୱୟ ପ୍ରକୋଷ୍ଠ ଓ ଯୁଗ୍ମ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରାଯିବ । ପୂର୍ବରୁ ଯେଉଁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟରତ ତାର ସମୀକ୍ଷା ହୋଇ ସାରିଛି । ସେମାନଙ୍କ ଦକ୍ଷତାକୁ ବଢାଇବା ପାଇଁ ଉଦ୍ୟମ କରାଯାଉଛି।
ମଣିପୁରରେ ଗତ କିଛି ମାସରେ ଜାତିଗତ ହିଂସା ଓ ଘଟଣା ଲଗାତାର ସାମ୍ନାକୁ ଆସିଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଶି ସ୍ଥିତିକୁ ସାମାନ୍ୟ କରିବାକୁ ଉଦ୍ୟମ ଚଳାଇଛନ୍ତି । ନିକଟରେ ପାହାଡିଆ ଅଞ୍ଚଳରେ ଉଗ୍ରବାଦୀଙ୍କ ଉତ୍ପାତ ଅଧିକ ଦେଖିବାକୁ ମିଳିଛି । ଶନିବାର ସନ୍ଧ୍ୟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୈତୃକ ବାସଭବନକୁ ଘେରାଉ କରିବାକୁ ଆନ୍ଦୋଳକାରୀ ଉଦ୍ୟମ କରିଥିଲେ । କିନ୍ତୁ କଡା ସୁରକ୍ଷା କାରଣରୁ ବିକ୍ଷୋଭକାରୀ ବିଫଳ ରହିଥିଲେ ।