ବସ୍ତର: ଲାଲବାହୀନିଙ୍କୁ ସମୂଳେ ଧ୍ୱଂସ କରିବାକୁ କେନ୍ଦ୍ର ସରକାର ନେଇଥିବା ସଂକଳ୍ପକୁ ଜୋରଦାର କରାଯାଉଛି । ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ସପ୍ତାହେ ନ ପୁରୁଣୁ ପୁଣି ସୁରକ୍ଷାବାହିନୀଙ୍କ ଗୁଳିରେ ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଖବର ଲେଖା ଯିବାବେଳକୁ ସମ୍ପୃକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ।
ପ୍ରାଥମିକ ସୂଚନା ମୁତାବକ, ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ଶୁକ୍ରବାର ସିଆରପିଏଫ୍ ଏବଂ ଡିଆରଜି ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଧରଣର ମିଳିତ ସର୍ଚ୍ଚ ଅପରେସନ୍ କରିଥିଲେ କୋନ୍ତା ଏବଂ କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିଥିଲା । ଏହାରି ଆଧାରରେ ଅପରେସନ୍ କରାଯାଇଥିଲା ।
ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ସମୟର ୧୦ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଇନସାସ୍ ରାଇଫଲ, ଏକେ-୪୭ ବନ୍ଧୁକ, ଏସଏଲଆର୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବସ୍ତର ଡିଭିଜନର ଅନ୍ତର୍ଗତ ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାରହା ଜଙ୍ଗଲରେ ଡିଆରଜି, ଏସଟିଏଫ ଓ ବିଏସଏଫର ମିଳିତ ଅପରେସନ କରାଯାଇଥିଲା । ସୁରକ୍ଷାବାହିନୀ ଏବଂ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଥିଲା । ଘଟଣା ସ୍ଥଳରେ ହିଁ ୫ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଯବାନ ।