ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ଗତକାଲି ମତଦାନ ସଂପନ୍ନ ହୋଇ ସାରିଛି । ଭୋଟ୍ ଫଳାଫଳ ନଭେମ୍ବର ୨୩ ତାରିଖ ପ୍ରକାଶ ପାଇବ । କିନ୍ତୁ ରାଜ୍ୟରେ ରାଜନୈତିକ ଗୋଟି ଚାଳନା ଏବେଠୁ ଆରମ୍ଭ ହୋଇ ଯାଇଛି । ସମସ୍ତ ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟବହୁମତ ସହ ସରକାର ଗଢୁଥିବା ଆକଳନ କରାଯାଇଛି । ଏହି ସବୁ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ବୁଧବାର ସନ୍ଧ୍ୟାରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଛନ୍ତି । ଏହି ସାକ୍ଷାତରୁ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି ।
ରାଜ୍ୟରେ ହୋଇଥିବା ଅଧିକ ମତଦାନରେ ବିଜେପି ଉତ୍ସାହିତ ହୋଇ ପଡିଛି । ଖୋଦ୍ ଫଡଣବିସ ବୁଧବାର କହିଥିଲେ ଯେ, ଭୋଟିଂ ବଢିବାର ଫାଇଦା ବିଜେପିକୁ ମିଳିବ । ବିଜେପି ଓ ମହାୟୁତିକୁ ପୁଣି ଥରେ ଜନତାଙ୍କ ଆଶୀର୍ବାଦ ମିଳିବ । ଉଲ୍ଲେଖନୀୟ ମହାରାଷ୍ଟ୍ରରେ ଏଥର ମତଦାନ ୬୫ ପ୍ରତିଶତରୁ ଅଧିକ ରହିଛି ।
ଏସବୁ ଭିତରେ ଗତକାଲି ସନ୍ଧ୍ୟାରେ ଦେବେନ୍ଦ୍ର ଫଡଣବିସ ଆରଏସଏସ ମୁଖ୍ୟାଳୟ ପହଞ୍ଚି ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା । ଏହି ସମୟରେ ବୈଠକରେ ଭୈୟାଜୀ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ବିଜେପିର କୌଣସି ନେତାଙ୍କୁ ବୈଠକ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଆରଏସଏସ ଫଡଣବିସଙ୍କ ନାମରେ ସବୁଜ ସଙ୍କେତ ଦେଇ ସାରିଛି ।
ସୂଚନାଯୋଗ୍ୟ, ଗତକାଲିର ସମସ୍ତ ଏକଜିଟ୍ ପୋଲରେ ମହାୟୁତି ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳୁଥିବା ଆକଳନ କରାଯାଇଛି । ଏଥିରେ ସର୍ବାଧିକ ଆସନ ବିଜେପିକୁ ମିଳୁଥିବା କୁହାଯାଇଛି । ଯଦି ମହାୟୁତି ସରକାର ଗଠନ କରେ ତେବେ ମୁଖ୍ୟମନ୍ତ୍ରୀ ବିଜେପିର ହିଁ ହେବେ । ଆଉ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସବୁଠୁ ଆଗରେ ଦେବେନ୍ଦ୍ର ଫଡଣବିସଙ୍କ ନାଁ ରହିଛି । ଫଡଣବିସଙ୍କ ନାଁ ଆଗରେ ରହିବାର ଅନେକ କାରଣ ରହିଛି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନ ଫଡଣବିସଙ୍କ ଉପରେ ମଧ୍ୟ ରହିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଶିବସେନାର ସିନ୍ଦେ ଗୋଷ୍ଠୀର ମୁଖ୍ୟ ଏକନାଥ ସିନ୍ଦେ ମଧ୍ୟ କହି ସାରିଛନ୍ତି ଯେ, ସେ ଏଥର ମୁଖ୍ୟମନ୍ତ୍ରୀ ଦୌଡରେ ନାହାନ୍ତି । ତେଣୁ ଦେବେନ୍ଦ୍ର ଫଡଣବିସ ମୁଖ୍ୟମନ୍ତ୍ରୀ ହେବାର ଅଧିକ ସମ୍ଭାବନା ଥିବା ମହାରାଷ୍ଟ୍ରର ରାଜନୈତିକ ଚିତ୍ରରୁ ସ୍ପଷ୍ଟ ସଙ୍କେତ ମିଳୁଛି ।