ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆତଙ୍କବାଦୀ ଅନୁପ୍ରବେଶ ମାମଲାରେ ଏନଆଇଏ ରିଆସି, ଡୋଡା, ଉଧମପୁର, ରାମବନ ଏବଂ କିଶ୍ତୱାଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସୁରକ୍ଷା ଏଜେନ୍ସିର ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ସଂଗଠନକୁ ବଡ଼ ଝଟକା ଦେଇଛି।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ସରକାର ଗଠନ ହେବା ପରଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୮ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।
ପ୍ରାୟ ସପ୍ତାହେ ତଳେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସନ୍ଦେହରେ ଏନଆଇଏ ଜମ୍ମୁ ଉପକଣ୍ଠ ବଜଲହାଟାରେ ଜଣେ ବ୍ୟକ୍ତି (ସାହିଲ ଅହମ୍ମଦ)ଙ୍କ ଘରେ ଚଢ଼ାଉ କରିଥିଲା। ତଦନ୍ତ ବେଳେ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ୧୫ ଲକ୍ଷ ଟଙ୍କା ଜମା ହୋଇଥିବା ଏନଆଇଏ ଜାଣିବାକୁ ପାଇଥିଲା। ଅହମ୍ମଦାବାଦର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ହୁମାୟୁନ୍ ଖାନ୍ ନାମକ ଜଣେ ପଳାତକ ଅପରାଧୀ ଏହି ଟଙ୍କା ଜମା କରିଛନ୍ତି।
ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ସାହିଲ ଅହମ୍ମଦଙ୍କ ପ୍ରକୃତ ମାମୁଁ ଗୁଲଜାର ଅହମ୍ମଦ ମଲିକଙ୍କ ପୁଅ ଅବଦୁଲ ମଜିଦ ମଲିକ ୧୯୯୨ ମସିହାରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ହୋଇଥିଲେ । ସେ ଗତ କିଛି ବର୍ଷ ହେବ ପାକିସ୍ତାନର ସିଆଲକୋଟରେ ରହୁଛନ୍ତି। ଏନଆଇଆଇଏ ଟିମ୍ ସାହିଲ ଏବଂ ତାଙ୍କ କିଛି ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଥିଲା।
ଜମ୍ମୁ-କଶ୍ମୀରରେ ସରକାର ଗଠନ ହେବା ପରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇଛନ୍ତି। ଗତ ଅକ୍ଟୋବର ୧୮ ତାରିଖରେ ସୋପିଆନରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ହତ୍ୟା କରିଥିଲେ। ଏହାପରେ ଅକ୍ଟୋବର ୨୦ରେ ଗଣ୍ଡରବାଲରେ ନିର୍ମାଣ କମ୍ପାନୀର କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଡାକ୍ତରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି।
ଅଧିକ ପଢ଼ନ୍ତୁ: ଡେରାଡୁନ୍କୁ ଏୟାରଲିଫ୍ଟ ହେଲେ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ