ନୂଆଦିଲ୍ଲୀ : ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶ୍ରମ, ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ସହ ୬ଟି ରାଜ୍ୟର ଯୁବବର୍ଗଙ୍କ ପାଇଁ ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍ : ଏ ଜବ୍ସ ଡାଇଗ୍ନୋଷ୍ଟିକ୍ସ ଫର୍ ୟଙ୍ଗ୍ ପିପୁଲ ଅନ୍ ସିକ୍ସ ଷ୍ଟେଟ୍ସ’ (Jobs at Your Doorstep: A Jobs Diagnostics for Young People in Six States) ଶୀର୍ଷକ ଏକ ରିପୋର୍ଟ ଉନ୍ମୋଚନ କରିଛନ୍ତି । ଏହି ୬ଟି ରାଜ୍ୟ ହେଉଛି ଓଡ଼ିଶା, ହିମାଚଳ ପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ । ଏହି ରିପୋର୍ଟ ଉପରୋକ୍ତ ୬ଟି ରାଜ୍ୟର ଚାକିରି ଅନ୍ୱେଷଣ କରିବା ସହ ମାଧ୍ୟମିକ ବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ପାଇଁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ପ୍ରମୁଖ ପ୍ରାଥମିକତା କ୍ଷେତ୍ରକୁ ଚିହ୍ନଟ କରିବ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ୬ଟି ରାଜ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପାଇଁ ବିଶ୍ୱବ୍ୟାଙ୍କ୍ ଟିମକୁ ପ୍ରଶଂସା କରିବା ସହ ବିଶ୍ୱବ୍ୟାଙ୍କ ଟିମକୁ ସର୍ବଭାରତୀୟ ଫ୍ରେମଓ୍ୱାର୍କ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଏହି ରିପୋର୍ଟ ଦକ୍ଷତା ଏବଂ ନିଯୁକ୍ତି ଉପରେ ଷ୍ଟେକ ହୋଲ୍ଡରମାନଙ୍କୁ ନୂତନ ଢାଞ୍ଚା ସୃଷ୍ଟି କରିବାରେ ସକ୍ଷମ କରିବ ଏବଂ ଆମ ଜନସଂଖ୍ୟାକୁ ସଶକ୍ତ କରିବା ପାଇଁ ପ୍ରଗତିଶୀଳ ନୀତି ପ୍ରସ୍ତୁତ କରିବାରେ ସମର୍ଥ ହେବ । ଚାକିରି ଓ ନିଯୁକ୍ତିର ସଂଜ୍ଞାକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ଭାରତକୁ ଏକ ବିଶ୍ୱ ଦକ୍ଷତା କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଆମ ଦେଶର ଜନସଂଖ୍ୟା ବିଶ୍ୱ ଅର୍ଥନୀତିର ଡ୍ରାଇଭର ହେବ । ଏଥିପାଇଁ ବିଦ୍ୟାଳୟଗୁଡ଼ିକରେ ଦକ୍ଷତାକୁ ପ୍ରଧାନ୍ୟ ଦେବାର ଆବଶ୍ୟକତା ରହିଛି । ଜାତୀୟ ଶିକ୍ଷା ନୀତିରେ ବିଦ୍ୟାଳୟ ଗୁଡିକରେ ଦକ୍ଷତାକୁ ମୁଖ୍ୟ ସ୍ରୋତରେ ଆଣିବାର ପରିକଳ୍ପନା କରାଯାଇଛି ।
ଉଲ୍ଲେଖନୀୟ ଯେ ହିମାଚଳ ପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ରାଜସ୍ଥାନ (ସାମୂହିକ ଭାବେ ଷ୍ଟାର୍ସ ରାଜ୍ୟ) ଭଳି ୬ଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରି ଶିକ୍ଷା-ଶିକ୍ଷଣ ଏବଂ ଫଳାଫଳ (ଷ୍ଟାର୍ସ) ନାମକ ଏକ କାର୍ଯ୍ୟକ୍ରମରେ ବିଶ୍ୱ ବ୍ୟାଙ୍କ ଭାରତ ଶିକ୍ଷା ମନ୍ତ୍ରଣାଳୟକୁ ସହାୟତା କରିଥାଏ । ୬ଟି ଷ୍ଟାର୍ସ ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଗବେଷଣା ମାଧ୍ୟମରେ ପ୍ରଦାନ କରାଯାଉଥିବା ଦକ୍ଷତା ଶିକ୍ଷାକୁ ପୁନଃକଳ୍ପନା କରିବା ପାଇଁ ଏହି ଅଧ୍ୟୟନ ଆରମ୍ଭ କରାଯାଇଥିଲା ।