ନୂଆଦିଲ୍ଲୀ: ଇସ୍ରାଏଲ ଲେବାନନରେ ଭୀଷଣ ହମଲା କରିଛି । ଏହି ଆକ୍ରମଣରେ ଗୁରୁବାର ୫୨ ଜଣଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲର କହିବା କଥା ହେଜବୁଲ୍ଲାକୁ ଲକ୍ଷ୍ୟ କରି ଦକ୍ଷିଣ ବେରୁତ ଓ ଏହାର ଆଖପାଖ ଅଞ୍ଚଳରେ ଆକ୍ରମଣ କରାଯାଇଛି । ହିଜବୁଲ୍ଲା କହିଛି ପ୍ରଥମ ଥର ଇସ୍ରାଏଲ ସେନା ଏତେ ଭିତରକୁ ପେଶି ଆକ୍ରମଣ କରିଛି । ଗାଜାରେ ଚାଲିଥିବା ସଂଘର୍ଷ ପରେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍ କରି ଆକ୍ରମଣ କରିଛି । ହେଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୧୧ ମାସ ହେବ ସଂଘର୍ଷ ଜାରି ରହିଛି ।
ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟାନ ଜାରି କହିଛି ଯେ, ଇସ୍ରାଏଲ ସେନା ବାଲବେକ ଜିଲ୍ଲାକୁ ନିଶାଣ କରି ଏହି ଆକ୍ରମନ କରିଛି । ଆକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଗୁରୁତର ଆହତ ହୋଇଛନ୍ତି । ଇସ୍ରାଏଲ ମୋଟ୍ ୧୦ଟି ସ୍ଥାନକୁ ଟାର୍ଗେଟ୍ କରିଛି । ଏହି ଆକ୍ରମଣରେ ଗୋଟିଏ ପରିବାର ସଂପୂର୍ଣ୍ଣ ରୂପେ ଧ୍ୱସ୍ତ ହୋଇ ଯାଇଛି । ପରିବାରର ଦମ୍ପତ୍ତି ସହ ୪ ପିଲାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସଦ୍ୟତମ ସୂଚନା ଅନୁଯାୟୀ, ଇସ୍ରାଏଲ ଲେବାନନ ଉପରେ ୧୨ଷ୍ଟ୍ରାଇକ କରିଛି ଏବଂ ବ୍ୟାପକ ମାତ୍ରାରେ କ୍ଷତି ଘଟିଛି ।
ଅନ୍ୟପଟେ ଗାଜାରେ ଇସ୍ରାଏଲର କ୍ଷତି ଘଟିଛି । ହମାସର ଆକ୍ରମଣରେ ୧୫ ଇସ୍ରାଏଲୀ ସେନାଙ୍କ ପ୍ରାଣହାନୀ ଘଟିଛି । ଅଲ କସାମ ବ୍ରିଗେଡ ଗୁରୁବାର କହିଛି ଯେ, ଏହାର ସଦସ୍ୟ ଗୁଳିବିନିମୟରେ ୧୫ ଇସ୍ରାଏଲୀ ସେନା ନିହତ ହୋଇଛନ୍ତି । ସାଂପ୍ରତିକ ସ୍ଥିତିକୁ ଦେଖିଲେ ଇସ୍ରାଏଲ ଏବେ ଗାଜା ଓ ଲେବାନନ ଉପରେ ଆହୁରି ଆକ୍ରମଣ କରିପାରେ । ଅନ୍ୟପଟେ ଯୁଦ୍ଧ ବିରତି ଘୋଷଣା ପାଇଁ ଇସ୍ରାଏଲ ବିରୋଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ ହୋଇଛି ।