ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟଙ୍କର ହେବାକୁ ଯାଉଛି । ବିଗତ ଦିନରେ ରୁଷ ୟୁକ୍ରେନ ଉପରେ ପ୍ରଥମ ଥର ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ(ଆଇସିବିଏମ)ର ପ୍ରୟୋଗ କରିଛି । ଯାହାକୁ ନେଇ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏବେ ୟୁ୍କ୍ରେନର ପୂର୍ବତନ ଆର୍ମି କମାଣ୍ଡର ଇନ ଚିଫ ବାଲେରୀ ଜାଲୁଜନୀ କହିଛନ୍ତି ଯେ, ତୃତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇ ଯାଇଛି ।
ତାଙ୍କ ମତରେ ତୃତୀୟ ବିଶ୍ୱ ଯୁଦ୍ଧ ଚାଲିଛି । ଯୁଦ୍ଧରେ ରୁଷ ସହଯୋଗୀଙ୍କ ପ୍ରତ୍ୟେକ୍ଷ ଭାଗିଦାରୀ ମଧ୍ୟ ଏହାର ସଙ୍କେତ ଦେଉଛି । ସେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଭାଷଣ ଦେଇ କହିଛନ୍ତି ଯେ, ଆମକୁ ସ୍ୱୀକାର କରିବାକୁ ପଡିବ ଯେ, ୨୦୨୪ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇ ସାରିଛି ।
ଲାଜୁମନୀ ଏବେ ବ୍ରିଟେନରେ ୟୁକ୍ରେନର ଦୂତ ଭାବେ କାମ କରୁଛନ୍ତି । ସେ କହିଛନ୍ତି, ଉତ୍ତର କୋରିଆର ସୈନିକ ୟୁକ୍ରେନ ସାମ୍ନାରେ ଛିଡା ହୋଇଛନ୍ତି । ୟୁକ୍ରେନରେ ଇରାନର ଗୋଷ୍ଠୀ ଖୁଲମଖୁଲା ନାଗରିକଙ୍କ ହତ୍ୟା କରୁଛନ୍ତି । ଉତ୍ତର କୋରିଆର ସୈନିକ ଓ ଚୀନର ଅସ୍ତ୍ରଶସ୍ତ୍ର ସବୁ ସକ୍ରିୟ ହୋଇ ଉଠିଛି । ସେ ଚେତାବନୀ ଦେଇ କହିଛନ୍ତି ଯେ, ଏବେ ବି ୟୁକ୍ରେନ ଅଞ୍ଚଳରେ ଏସବୁ ରୋକିବାକୁ ଆମେ ପ୍ରସ୍ତୁତ ।
ସେପଟେ ଦକ୍ଷିଣ କୋରିଆର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷର ସମର୍ଥନରେ ଉତ୍ତର କୋରିଆ ନିଜର ସୈନିକ ପଠାଇଛି । ଏହାରି ବଦଳରେ ରୁଷ ଉତ୍ତର କୋରିଆକୁ ବାୟୁ ପ୍ରତିରକ୍ଷା ମିସାଇଲ ଦେଇଛି । ଆମେରିକା, ଦକ୍ଷିଣ କୋରିଆ ଓ ୟୁକ୍ରେନର କହିବା କଥା ଉତ୍ତର କୋରିଆ ଅକ୍ଟୋବର ମାସରେ ୧୦ ହଜାରରୁ ଅଧିକ ସୈନିକ ରୁଷ ପଠାଇଥିଲା । ଏହି ସୈନିକମାନେ କିଛି ମାତ୍ରାରେ ଲଢେଇରେ ସାମିଲ ହୋଇଛନ୍ତି ।