ଝାରସୁଗୁଡା : ରବିବାର ବସୁନ୍ଧରା ଯୋଜନାରେ ଝାରସୁଗୁଡ଼ା ଓ ଲଖନପୁର ବ୍ଲକର ଭୂମିହୀନ ପରିବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘରଡିହ ଜମିପଟ୍ଟା ବଣ୍ଟନ କରିଛନ୍ତି।
ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଝାରସୁଗୁଡ଼ାର ୭୧ ଏବଂ ଲଖନପୁରର ୪୯ । ଏହିପରି ମୋଟ ୧୨୦ ପରିବାରଙ୍କୁ ଘରଡିହ ଜମିପଟ୍ଟା ବଣ୍ଟନ କରିଛନ୍ତି।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିକଶିତ ଓଡ଼ିଶା ଓ ଉତ୍କର୍ଷ ଓଡିଶାର ସ୍ୱପ୍ନ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏଥିପାଇଁ ମହିଳା,ଯୁବକ,ଚାଷୀ ଓ ଗରିବ ସବୁ ବର୍ଗଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ଆବଶ୍ୟକତା ରହିଥିବା ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ମହିଳା ଶସକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଏବଂ ବାସଚ୍ୟୁତଙ୍କୁ ଘରଡିହ ଜମିପଟ୍ଟା ଯୋଗାଇବା ପ୍ରତିଶ୍ରୁତିବଦ୍ଧତାର ପରିଚୟ ବୋଲି ଉଲ୍ଲେଖ କରିବା ସହ ପଟ୍ଟା ପାଇବା ଦ୍ୱାରା ଏଥିପାଇଁ ଅସୁବିଧା ଭୋଗ କରୁଥିବା ଲୋକମାନଙ୍କର ଅନେକ ଦିନର ଆଶା ପୂରଣ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ବସୁନ୍ଧରା ଯୋଜନା ସରକାରଙ୍କ ଅନ୍ୟାନ୍ୟ ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟରୁ ଅନ୍ୟତମ ବୋଲି ଉଲ୍ଲେଖ କରି ହୀରାକୁଦ ନଦୀବନ୍ଧ ପାଇଁ ବାସଚ୍ୟୁତ ପରିବାର ଏବଂ ବସୁନ୍ଧରା ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪ ଶେଷ ସୁଦ୍ଧା ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଯୋଗାଇବା କ୍ଷେତ୍ରରେ ଝାରସୁଗୁଡ଼ା ଆଗରେ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ। ରାଜ୍ୟରେ ସୁଭଦ୍ରା ଓ ବସୁନ୍ଧରା ଯୋଜନାରେ ଅନ୍ତ ନାହିଁ ବୋଲି ସେ କହିଥିଲେ। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଏଏସ୍ ପ୍ରବେଶନ ସର୍ବାନନ ସି.,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ,ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ଓ ଲଖନପୁର ତହସିଲଦାର ପ୍ରସନ୍ନ କୁମାର ପଟେଲ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ ଖେସଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବସୁନ୍ଧରା ଯୋଜନାର ହିତାଧିକାରୀ ପରିବାରର ସଦଦ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟ ତଥା ସଂଲଗ୍ନ କାର୍ଯ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଅଭିଯୋଗ ତଥା ଅନ୍ୟାନ୍ୟ ସେବା ପାଇଁ ଆସୁଥିବା ମହିଳାମାନଙ୍କ ସକାଶେ ସ୍ଥାପିତ କ୍ରେଚ ସେଣ୍ଟର 'କଳିକା' ପରିଦର୍ଶନ ହୋଇଥିଲା ।