ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇ ଯାଇଛି । ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟର ପୁଣି ଥରେ ନିରାଶ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଦର୍ଶନକୁ ପର୍ଥର ପ୍ରଥମ ଇନିଂସରେ ଦୋହରାଇଛି ଭାରତ । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂର ସାମ୍ନା କରି ନ ପାରି ଭାରତ ୧୫୦ ରନରେ ଅଲଆଉଟ୍ ହୋଇଛି । ଟେଷ୍ଟରେ ପଦାର୍ପଣ କରିଥିବା ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ କରିଥିବା ବେଳେ ଋଷଭ ପନ୍ତ ୩୭ ରନ କରିଛନ୍ତି । କେଏଲ ରାହୁଲ ୨୬ ରନ କରିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି । କଙ୍ଗାରୁ ଦଳ ପକ୍ଷରୁ ଜୋସ ହେଜେଲଉଡ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି ।
ଆଜି ଭାରତ ପକ୍ଷରୁ ଟେଷ୍ଟରେ ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପଦାର୍ପଣ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ସାହସିକ ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କର ନିଷ୍ପତ୍ତିକୁ ବ୍ୟାଟରମାନେ ସଠିକ୍ ସାବ୍ୟସ୍ତ କରି ପାରନ୍ତି । ଦଳ ୫ ରନ ସ୍କୋରରେ ଯଶସ୍ୱୀ ଜୟସ୍ୱାଲଙ୍କ ୱିକେଟ୍ ହରାଇଥିଲା । ଯଶସ୍ୱୀ ଖାତା ବି ଖୋଲି ପାରି ନ ଥିଲେ । ଦେବଦତ୍ତ ପାଡିକଲ୍ ବି ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ । ଦଳର ସବୁଠୁ ଅଭିଜ୍ଞ ଖେଳାଳି ବିରାଟ କୋହଲି ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ । ଓପନିଂ କରିଥିବା କେଏଲ ରାହୁଲ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । କିନ୍ତୁ ବିବାଦୀୟ ଢଙ୍ଗରେ ୨୭ ରନ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲ(୧୧ ରନ) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ । ଏହିପରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫୯ ରନରେ ୫ ୱିକେଟ୍ ହରାଇଥିଲା ।
ଅନ୍ୟପଟେ ଋଷଭ ପନ୍ତ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ । ଅନ୍ୟପଟେ ୱାଶିଂଟନ ସୁନ୍ଦର(୪ ରନ)କ୍ରିଜରେ ତିଷ୍ଠି ପାରି ନ ଥିଲେ । ଏହା ପରେ ପଦାର୍ପଣ ଟେଷ୍ଟ ଖେଳୁଥିବା ନୀତିଶ ରେଡ୍ଡୀ ପନ୍ତଙ୍କୁ ଭଲ ସହଯୋଗ ଦେଇଥିଲେ । ନୀତିଶ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ରନ ସଂଗ୍ରହ କରିଥିଲେ । ପନ୍ତ ଓ ନୀତିଶ ଷଷ୍ଠ ୱିକେଟ୍ ପାଇଁ ୪୮ ରନ ଯୋଡି ଦଳ ପାଇଁ କିଶି ଆଶା ସଞ୍ଚା କରିଥିଲେ । ତେବେ ପନ୍ତ ୩୭ ରନ କରି ଆଉଟ୍ ହୋଇଥିଲେ । ନିମ୍ନ କ୍ରମରେ ହର୍ଷିତ ରାଣା ୭ ରନ ଓ ଅଧିନାୟକ ଯଶପ୍ରୀତ ବୁମରା ୮ ରନ କରି ଆଉଟ୍ ହୋଇଥିଲେ । ନୀତିଶ ରେଡ୍ଡୀ ଦଶମ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ । କିନ୍ତୁ ସେ ୪୧ ରନର ପ୍ରଭାବଶାଳୀ ରନ କରିଥିଲେ । ଏହିପରି ଭାରତ ୧୫୦ ରନରେ ଅଲଆଉଟ୍ ହୋଇଛି ।
କଙ୍ଗାରୁ ଦଳ ପକ୍ଷରୁ ଜୋସ୍ ହେଜେଲଉଡ ଘାତକ ବୋଲିଂ କରି ମାତ୍ର ୨୯ ରନ ଦେଇ ୪ ସଫଳତା ହାସଲ କରିଥିଲେ । ମିଚେଲ୍ ଷ୍ଟାର୍କ ୧୪ ରନ ଦେଇ ୨, କମିନ୍ସ ୬୭ ରନରେ ୨ ଓ ମିଚେଲ୍ ମାର୍ଶ ୧୨ ରନ ଦେଇ ୨ ୱିକେଟ୍ ନେଇଛନ୍ତି ।