ପର୍ଥ: ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ମୁକାବିଲାରେ ଭାରତୀୟ ବୋଲରମାନେ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଦ୍ବିତୀୟ ଦିନ ଶନିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପ୍ରଥମ ପାଳିରେ ୧୦୪ ରନ୍ରେ ଅଲ୍ଆଉଟ୍ କରିଛନ୍ତି। ଏଥି ସହିତ ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ୪୬ ରନ୍ରେ ଆଗୁଆ ରହିଛି। ଅଧିନାୟକ ଯଶପ୍ରୀତ ବୁମାର ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି। ହର୍ଷିତ ରାଣାଙ୍କୁ ୩ ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ମିଳିଛି।
ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍ରେ ଜାରି ଥିବା ଏହି ମୁକାବିଲାରେ ଭାରତୀୟ ଟିମ୍ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ବି ଆହୁରି ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତକାଲି ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ୬୭ ରନ କରିଥିଲା।
ଭାରତ ୫ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା। ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିବା ଦେବଦତ୍ତ ପଡ଼ିକଲ୍ଲ ବି ଖାତା ଖୋଲିପାରିନଥିଲେ। ବିରାଟ କୋହଲି ମାତ୍ର ୫ ରନ୍ କରି ଆଉଟ ହୋଇଥିଲେ। ତେବେ ଓପନର କେଏଲ ରାହୁଲ ୨୬ ରନ୍, ଋଷଭ ପନ୍ତ ୩୭ରନ ଓ ନିକେଶ ରେଡ୍ଡୀ ୪୧ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜଲଉଡ ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ, ମିଚେଲ ମାର୍ସ ଓ ପାଟ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଅଷ୍ଟ୍ରେଲିଆ ଦଳ ବି ଭାରତୀୟ ବୋଲରଙ୍କ ମୁକାବିଲା କରିପାରିନଥିଲା। ପ୍ରଥମ ଦିନର ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୭ ଓ୍ବିକେଟ ହରାଇ ୬୭ ରନ କରିଥିଲା।
ଅଧିକ ପଢ଼ନ୍ତୁ: ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତିର ବଡ଼ ଅଗ୍ରଣୀ