ମୁମ୍ବାଇ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଏନ୍ଡିଏ ମେଣ୍ଟ ସପକ୍ଷରେ ମତଗଣନା ଆସୁଛି। ମହାରାଷ୍ଟ୍ରରେ ପ୍ରାରମ୍ଭିକ ଟ୍ରେଣ୍ଡ କଥା ଯଦି କହିବା, ଏଥିରୁ ୧୫୬ଟି ଆସନରେ ବିଜେପି-ଶିବସେନା ମେଣ୍ଟ ଆଗୁଆ ରହିଛି। ସେହିପରି କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ମହାବିକାଶ ଆଘାଡି ମେଣ୍ଟ ୯୩ଟି ଆସନରେ ଆଗୁଆ ରହିଛି। ଝାଡ଼ଖଣ୍ଡରେ କଡ଼ାମୁକାବିଲା ହେଉଥିବା ଦୃଷ୍ଟିଗୋଚର ହେଉଛି। ରିପୋର୍ଟ ଲେଖାଯିବା ବେଳକୁ ଏନଡିଏ ମେଣ୍ଟ ୪୧ ଓ ଇଣ୍ଡି ମେଣ୍ଟ ୩୧ଟି ଆସନରେ ଆଗୁଆ ରହିଛି।
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ରାଜନୈତିକ ଭବିଷ୍ୟତ ଆଜି ସ୍ଥିର ହେବାକୁ ଯାଉଛି। ମହାରାଷ୍ଟ୍ରରେ ମହାୟୁତି ସରକାର ଫେରିବ ନା ମହାବିକାଶ ଆଘାଡି ହାତରେ କ୍ଷମତା ଯିବ ତାହା ଆଜି ସ୍ଥିର ହେବ। ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ରହିଛି।
ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ୬୬.୬୫ ପ୍ରତିଶତ ମତଦାନ ହୋଇଥିବା ବେଳେ ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ୩୮ଟି ଆସନ ପାଇଁ ୬୮.୪୫ ପ୍ରତିଶତ ମତଦାନ ହୋଇଥିଲା। ରାଜ୍ୟରେ ଏନଡିଏ (ବିଜେପି-ଏଜେଏସୟୁ) ଏବଂ ବିଜେପି (ଜେଏମଏମ-କଂଗ୍ରେସ) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।
ତେବେ ବିହାର, ରାଜସ୍ଥାନ, ପଞ୍ଜାବ, କେରଳ ସମେତ ୧୬ଟି ରାଜ୍ୟର ୪୮ଟି ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସୁଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏଠାରୁ ନିର୍ବାଚନ ଲଢୁଥିବାରୁ କେରଳର ୱାୟନାଡ ଲୋକସଭା ଆସନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ସକାଳ ୮ଟାରୁ ସମସ୍ତ ଆସନର ଭୋଟ ଗଣତି ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ଭୋଟ୍ ଗଣତି ଆରମ୍ଭ, ଉତ୍ସବ ପାଳନ ପାଇଁ ନେତା ପ୍ରସ୍ତୁତ