ନୂଆଦିଲ୍ଲୀ: ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର ଶନିବାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ୧୮ ଜଣିଆ ଘୋଷିତ ଦଳରେ ଅଧିନାୟକ ଭାରତ ଯୁବ ଖେଳାଳି ଶୁଭମନ ଗିଲଙ୍କ ଉପରେ ନ୍ୟସ୍ତ କରାଯାଇଛି । ଋଷଭ ପନ୍ତଙ୍କୁ ଉପ ଅଧିନାୟକ କରାଯାଇଛି. ୨୦୧୭ ପରେ ଭାରତୀୟ ଦଳକୁ ଫେରିଛନ୍ତି କରୁଣ ନାୟର । ଅନ୍ୟପଟେ ସାଇ ସୁଦର୍ଶନ, ଅର୍ଶଦୀପ ସିଂଙ୍କ ପରି ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି । କିନ୍ତୁ ଦଳରେ ମହମ୍ମଦ ଶାମିଙ୍କ ଚୟନ କରାଯାଇ ନାହିଁ । ତେବେ କାହିଁକି ଏହି ଷ୍ଟାର ବୋଲରଙ୍କୁ ଦଳରେ ନିଆଗଲା ନାହିଁ ତାହା ଉପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ।
ଅଗରକର କହିଛନ୍ତି, ଡାକ୍ତରୀ ଦଳ ମହମ୍ମଦ ଶାମିଙ୍କୁ ଅନଫିଟ୍ ଘୋଷିତ କରିଛନ୍ତି । ଏହି କାରଣରୁ ତାଙ୍କୁ ଦଳରେ ଚୟନ କରାଯାଇ ନାହିଁ । ଚୟନକର୍ତ୍ତା ଶାମିଙ୍କୁ ଦଳରେ ଚୟନ କରିବାକୁ ଚାହୁଁଥିଲେ, ମାତ୍ର ଡାକ୍ତରୀ ଦଳଙ୍କ ରିପୋର୍ଟ ଆଧାରରେ ବୋର୍ଡକୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡିଛି । ଉଲ୍ଲେଖନୀୟ ମହମ୍ମଦ ଶାମି ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ପରଠୁ ଆଉ ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି ।
ବିରାଟକୁ ନେଇ କଣ କହିଲେ ?
ଅଜିତ ଅଗରକର ଖୁଲାସା କରିଛନ୍ତି ଯେ, ବିରାଟ କୋହଲି ଟେଷ୍ଟରୁ ଅବସର ନେବା ନେଇ ଏପ୍ରିଲ ମାସରୁ ଆମ ସହ ଯୋଗାଯୋଗ କରିଥିଲେ । ସେ ଲମ୍ବା ଫର୍ମାଟରୁ ଅବସର ନେବାକୁ ଚାହୁଁଥିଲେ । ତେଣୁ ଆମେ କୋହଲିଙ୍କ ନିଷ୍ପତ୍ତିର ସମ୍ମାନ କରୁଛୁ, କାରଣ ସେ ଟେଷ୍ଟରୁ ଦୂରରେ ରହିବାକୁ ଚାହୁଁଥିଲେ ।
କଣ ୫ ଟେଷ୍ଟ ଖେଳି ପାରିବେ ବୁମରା ?
ଯଶପ୍ରୀତ ବୁମରା ୫ଟି ଟେଷ୍ଟ ଖେଳିବେ କି ନାହିଁ ତାହା ଉପରେ ମୁଖ୍ୟ ଚୟନକର୍ତ୍ତା କହିଛନ୍ତି, କେବଳ ସମୟ ହିଁ କହିବ ଯେ, ବୁମରା ଚାରୋଟି ନା ତିନୋଟି, କେତୋଟି ଟେଷ୍ଟ ଖେଳି ପାରିବେ । ଫିଜିଓ ଓ ପୂରା ଦଳ ପ୍ରବନ୍ଧକ ବୁମରାଙ୍କ କାର୍ଯ୍ୟଭାର ଉପରେ ସତର୍କତାପୂର୍ବକ ନଜର ରଖିବା ସହ ସେହି ହିସାବରେ ପ୍ରତିଷେଧମୂଳକ ବ୍ୟବସ୍ଥା କରିଛନ୍ତି ।