ନୂଆଦିଲ୍ଲୀ: ପୋଲାଣ୍ଡରେ ଅନୁଷ୍ଠିତ ଓରଲାନ ଜାନୁସ୍ କୁସୋଜିନ୍ସକି ମେମୋରିଆଲ୍ ଟୁର୍ଣ୍ଣାମେଣ୍ଟ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଷ୍ଟାର ଭାରତୀୟ ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ନୀରଜ କ୍ରମାଗତ ଦ୍ୱିତୀୟ ଥର ଜର୍ମାନୀର ଜୁଲିଆନ୍ ୱେବରଙ୍କ ପଛରେ ରହି ରୌପ୍ୟ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳି ନୀରଜ ତାଙ୍କ ଲୟରେ ନଥିଲେ ଏବଂ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରି ନଥିଲେ। ଏହି କାରଣରୁ ତାଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି ।
୨୭ ବର୍ଷୀୟ ନୀରଜ ଚୋପ୍ରା ଫାଇନାଲ ରାଉଣ୍ଡ ପୂର୍ବରୁ ତୃତୀୟ ସ୍ଥାନରେ ଥିଲେ। ସେ ତାଙ୍କର ଷଷ୍ଠ ତଥା ଅନ୍ତିମ ରାଉଣ୍ଡରେ ୮୪.୧୪ ମିଟର ଦୂରତା ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନକୁ ଉଠିବାରେ ସଫଳ ହୋଇଥିଲେ । ନୀରଜ ଦ୍ୱିତୀୟ ଏବଂ ପଞ୍ଚମ ରାଉଣ୍ଡରେ ଯଥାକ୍ରମେ ୮୧.୨୮ ମିଟର ଏବଂ ୮୧.୮୦ ମିଟର ଦୂରତା ଅତିକ୍ରମ କରିଥିଲେ। ତାଙ୍କର ଅନ୍ୟ ତିନୋଟି ରାଉଣ୍ଡ ଫାଉଲ୍ ଥିଲା।
ଶୁକ୍ରବାର ଆରମ୍ଭରେ ବର୍ଷା ହେବା ପରେ ସିଲେସିଆନ୍ ଷ୍ଟାଡିୟମରେ ମେଘୁଆ ଆକାଶରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଜର୍ମାନୀର ଜୁଲିଆନ୍ ୱେବର, ଯିଏ ନିକଟରେ ସଂପନ୍ନ ଦୋହା ଡାଇମଣ୍ଡ ଲିଗର ୯୦ ମିଟର ଇଭେଣ୍ଟରେ ନୀରଜ ଚୋପ୍ରାକୁ ପରାସ୍ତ କରି ଶୀର୍ଷରେ ରହିଥିଲେ । ସେ ପୁଣି ଥରେ ପୋଲାଣ୍ଡରେ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ରାଉଣ୍ଡରେ ୮୬.୧୨ ମିଟର ଥ୍ରୋ କରି ପୁନର୍ବାର ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଦୁଇଥର ବିଶ୍ୱ ଚାମ୍ପିଅନ୍ ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୮୩.୨୪ ମିଟର ଶ୍ରେଷ୍ଠ ଥ୍ରୋ ସହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେ ଦୋହାରେ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୨୦୨୪ ମସିହାରେ ଭୁବନେଶ୍ୱରରେ ଅନୁଷ୍ଠିତ ଫେଡେରେସନ କପରେ ନୀରଜ ଚୋପ୍ରା ୮୨.୨୭ ମିଟର ଦୂରତା ନିକ୍ଷେପ କରିଥିଲେ । କିନ୍ତୁ ଏହା ପରେ ପ୍ରଥମ ଥର ସେ କୌଣସି ଟୁର୍ଣ୍ଣାମେଣ୍ଟରେ ୮୫ ମିଟରରୁ କମ ଦୂରତା ଥ୍ରୋ କରିଛନ୍ତି । ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ୯୦.୨୩ ମିଟର ଦୂରତା ଜାଭେଲିନ୍ ଫିଙ୍ଗି ପ୍ରଥମ ଥର ଏହି ମାଇଲ ଖୁଣ୍ଟ ଛୁଇଁଥିଲେ ।